ଏବେ ସମ୍ପତ୍ତିକୁ ନେଇ ହେବ ଖୋଳତାଡ

ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ହେବ ଖୋଳତାଡ, ଇଡି- ସିବିଆଇ ସ୍କାନର୍ ରେ ମଦ ବେପାରୀ ଙ୍କ ସମ୍ପତ୍ତି

ଏବେ ସମ୍ପତ୍ତିକୁ ନେଇ ହେବ ଖୋଳତାଡ

ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ପାହାଡ ଭଳି ଟଙ୍କାର ଗଣତି ଶେଷ ହେବା ପରେ, ଆଗକୁ ଆଉ କଣ ବାହାରିବ? ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ ଆୟକର ବିଭାଗର ରେଡ୍ ପରେ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆସୁଥିବା ଶୁଣି ଅନେକ ଛାନିଆ ହୋଇପଡିଥିବା ଚର୍ଚ୍ଚା ହେଉଛି ।

ପାଂଚ ଦିନର ଗଣତି ପରେ ଶେଷ ହୋଇଛି ଟଙ୍କା ଗଣତି । ରବିବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗୀରରେ ଓ ଶନିବାର ସୁଦ୍ଧା ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ ଓ ଝାରଖଣ୍ଡରେ ଜବତ ଟଙ୍କାର ଗଣତି ଶେଷ ହୋଇଛି । ସୂଚନା ଅନୁସାରେ, ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ପାଖାପାଖି ୪୫୦ କୋଟି ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି ।

ଟଙ୍କା ଗଣତି ପରେ ଏବେ ମଦ ବ୍ୟବସାୟୀଙ୍କ ସମ୍ପତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଥିବା ବହୁ ସ୍ଥାବର – ଅସ୍ଥାବର ସମ୍ପତି, ଆକଳନ କରୁଛନ୍ତି ଆୟକର ଅଧିକାରୀ ।

ଟଙ୍କା ଗଣତି ପରେ ଏବେ ସମସ୍ତଙ୍କ ନଜର, ଆଗକୁ କଣ ହେବ? ତଦନ୍ତ କେଉଁ ଦିିଗରେ ଯିବ? ତଦନ୍ତ ହେଲେ, ଆଉ କଣ ବାହାରିବ? ଏହା ଜାଣିବାକୁ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କିନ୍ତୁ ପରବର୍ତି ପଦକ୍ଷେପ କଣ ରହିବ, ସେ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ହେଲେ, କୋଟି କୋଟି ଟଙ୍କା ଜବତ ହୋଇଥିବାରୁ ଓ ବେଆଇନ ଭାବେ ଅର୍ଥ ଠୁଳ କରାଯାଇଥିବାରୁ ଏହି ମାମଲାରେ ଖୁବ୍ ଶୀଘ୍ର ଇଡି ତଦନ୍ତ କରିବାକୁ ଆସିପାରେ ବୋଲି ଆଲୋଚନା ହେଉଛି । ସେହିପରି ବିରୋଧୀ ଦଳ ବିଜେପି ମାମଲାର ସିବିଆଇ ତଦନ୍ତ ଦାବି କରୁଥିବାରୁ, ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏଂଟ୍ରି ମାରିପାରେ ବୋଲି କୁହାଯାଉଛି ।

ଇଡି ଓ ସିବିଆଇ ତଦନ୍ତ କଲେ ମାମଲା ନୂଆ ମୋଡ ନେବ । କେଉଁମାନେନ ଏତେ ପରିମାଣର ଟଙ୍କା ଠୁଳ କରିଥିଲେ ଓ କେଉଁମାନେ ସହଯୋଗ କରିଥିଲେ, ସେମାନଙ୍କୁ ପଚରାଉଚୁରା କରିବାକୁ ଡାକିବ । ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ ମଧ୍ୟ କରିପାରେ ।

ଇଡି ଓ ସିବିଆଇ କଥା ସାମନାକୁ ଆସିବା ପରେ କଳା ସାମ୍ରାଜ୍ୟର ସହଯୋଗୀ ସାଜିଥିବା ଅନେକଙ୍କ ଛାତିରେ ଏବେ ଛନକା ପଶିଲାଣି । କେଉଁଦିନ କାହାର ଯେ ପାଳି ପଡିବ ତାକୁ ନେଇ ଚିନ୍ତାରେ ପଡିଲେଣି ।