ପୁରୀରେ ପୁଣି ଏନକାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ବାରିକ ଆହତ; ମହିଳାଙ୍କୁ ଗୁଳି କରି ଫେରାର ଥିଲା

ପୁରୀ: ପୁରୀରେ ପୁଣି ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ବାରିକକୁ ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତ ସନ୍ତୋଷର ଡାହାଣ ପଟ ଗୋଡରେ ବାଜିଛି ଗୁଳି। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି। ଏହି ଘଟଣା ପୁରୀ-ବ୍ରହ୍ମଗିରି ରାସ୍ତା ଗିରଳ ଜଙ୍ଗଲରେ ଘଟିଛି। ଫେରାର ମାରିବାକୁ ଚେଷ୍ଟା କଲା ବେଳେ ପୋଲିସ ଗୁଳି ଚଳାଇଥିଲା। କିଛି ଦିନ ତଳେ ମହିଳାଙ୍କୁ ଗୁଳି କରି ଫେରାର ଥିଲା ସନ୍ତୁ।
ସୂଚନାଯୋଗ୍ୟ, ନଭେମ୍ବର ୨୯ରେ ସନ୍ତୁ ଓରଫ ସନ୍ତୋଷ ବାରିକ ଝିଲି ସାହୁ ନାମକ ଜଣେ ମହିଳାଙ୍କୁ ଗୁଳି କରିଥିଲା। ଏ ନେଇ ବ୍ରହ୍ମଗିରି ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଆଧାରରେ ବ୍ରହ୍ମଗିରି ପୋଲିସ ସନ୍ତୁକୁ ଖୋଜୁଥିଲା। ଆଜି ବିଶେଷ ସୂତ୍ରରୁ ପୁରୀ ସଦର ଥାନା ପୋଲିସ ଓ ବ୍ରହ୍ମଗିରି ପୋଲିସ ଖବର ପାଇଥିଲା ଯେ ସନ୍ତୁ ଗିରଳ ଜଙ୍ଗଲରେ ଲୁଚି ରହିଛି। ଏହା ପରେ ଦୁଇ ଥାନାର ପୋଲିସ ସନ୍ଧ୍ୟା ପ୍ରାୟ ୫ଟାରେ ଗିରଳ ଜଙ୍ଗଲରେ ଚଢଉ କରିଥିଲେ। ଏହି ସମୟରେ ସନ୍ତୁ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପ୍ରତି ଜବାବରେ ସନ୍ତୁର ଗୋଡ଼ରେ ଗୁଳି ବାଜିଥିଲା। ଏହା ପରେ ପୋଲିସ ସନ୍ତୁକୁ ଧରି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଉଛି। ପୋଲିସ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି।