କଲରାପତରିଆ ବାଘର ମୃତ୍ୟୁ
ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରେ ବିଦ୍ୟୁତ୍ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରେ ବିଦ୍ୟୁତ୍ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଏକ ସପ୍ତାହ ପୂର୍ବରୁ ଏହି କଲରାପତରିଆର ମୃତ୍ୟୁ ଘଟିଥିବା ଅଞ୍ଚଳବାସୀ କହୁଥିବା ବେଳେ ଏପର୍ୟ୍ୟନ୍ତ ବନବିଭାଗ ନିକଟରେ କୌଣସି ଖବର ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଶୋରନଗର ବ୍ଲକ ବାମୁର ରେଞ୍ଜ ଅନ୍ତର୍ଗତ ଫୁଲଝର ଜଙ୍ଗଲରୁ ୨୦୨୨ ଅକ୍ଟୋବର ୬ରେ ଏକ କଲରାପତରିଆ ବାଘକୁ ଶିକାରୀ ମାନେ ମାରି ଚମଡ଼ା ଚାଲାଣ କରୁଥିବାବେଳେ ବନବିଭାଗ ଚମଡା ଜବତକରି ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ୨୦୨୧ ଡିସେମ୍ବର ୧୮ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମହିଳାର ଏକ ବିଲରେ ଫାଶରେ ପଡି ଏକ କଲରାପରତିଆ ବାଘର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ କାହାକୁ ଗିରଫ କରିପାରିନଥିଲା।
ଆଠମଲ୍ଲିକ ଉପଖଣ୍ଡରେ ଏଭଳି ବାରମ୍ବାର ଶିକାରୀ ହାତରେ କଲରାପତରିଆର ମୃତ୍ୟୁ ହେଉଥିବାରୁ ପରିବେଶବିତ୍ ମହଲରେ ଉଦ୍ବେଗ ପ୍ରକାଶ ପାଉଛି। କେତେକ ଅସାଧୁ ବନ କର୍ମଚାରୀ ଶିକାରୀଙ୍କ ସହ ମିଶି ଏଭଳି ବାଘ ଶୀକାରରେ ମାତିଥିବା ସାଧାରଣରେ ଅଭିଯୋଗ ହେଉଛି। ବାଘର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।