କଟକକୁ ଆସିଲା ସ୍ମାର୍ଟ ବସ୍‌

ଡ୍ରାଇଭର୍ ଯଦି ମଦ ପିଇଛନ୍ତି, ବସ୍ ଷ୍ଟାର୍ଟ ହେବନାହିଁ । ଯଦି ଦୁର୍ଘଟଣା ଘଟି ଅକସ୍ମାତ୍ ବସ୍ରେ ନିଆଁ ଲାଗିଯାଏ, ମନକୁ ମନ ବସ୍ ଭିତରୁ ପାଣି ସ୍ପ୍ରେ ହେବ ଏବଂ ନିଆଁ ଲିଭା ଗ୍ୟାସ୍ ବାହାରିବ ।

କଟକକୁ ଆସିଲା ସ୍ମାର୍ଟ ବସ୍‌

ଡ୍ରାଇଭର୍ ଯଦି ମଦ ପିଇଛନ୍ତି, ବସ୍ ଷ୍ଟାର୍ଟ ହେବନାହିଁ । ଯଦି ଦୁର୍ଘଟଣା ଘଟି ଅକସ୍ମାତ୍ ବସ୍ରେ ନିଆଁ ଲାଗିଯାଏ, ମନକୁ ମନ ବସ୍ ଭିତରୁ ପାଣି ସ୍ପ୍ରେ ହେବ ଏବଂ ନିଆଁ ଲିଭା ଗ୍ୟାସ୍ ବାହାରିବ । ଫଳରେ ନିଆଁକୁ ସହଜରେ ଆୟତ କରିହେବ । କେବଳ ସେତିକି ନୁହେଁ, ଯଦି କୌଣସି ମହିଳା ଯାତ୍ରୀ ଅସଦାଚରଣର ଶିକାର ହୁଅନ୍ତି ସେନେଇ ଆଲର୍ଟ ଯିବ ଥାନାକୁ ।

ଫଳରେ ରାସ୍ତାରେ ଗାଡ଼ି ଅଟକାଇ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବ । ଏଭଳି ସୁବିଧା ଥିବା ଯାତ୍ରୀବାହୀ ସ୍ମାର୍ଟ ବସ୍ କଟକକୁ ଆସିଛି । ଆସନ୍ତା ସପ୍ତାହକ ମଧ୍ୟରେ ବସ୍ଟି ଚଳାଚଳ କରିବ ।

ବେଙ୍ଗାଲୁରୁରେ ନିର୍ମାଣ ହୋଇ କଟକ ଆସିଥିବା ଏହି ବସ୍ର ମୂଲ୍ୟ ରହିଛି ୧ କୋଟି ୭୬ ଲକ୍ଷ ଟଙ୍କା । ଏହାର ଅନେକ ବିଶେଷତ୍ୱ ରହିଛି, ଯାହା ଯାତ୍ରୀଙ୍କୁ ସୁରକ୍ଷିତ ବସ୍ ଯାତ୍ରାର ଅନୁଭବ ଦେବ । ବସ୍ ମାଲିକ ତଥା ପ୍ରଧାନ ଟ୍ରାନ୍ସପୋର୍ଟର ମୁଖ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁସାରେ, ଏହି ବସ୍ରେ ମୋଟ୍ ୫୩ଟି ସିଟ୍ ରହିଛି । ବଡ଼ କଥା ହେଲା, ବସ୍ର ଡ୍ରାଇଭର୍ ସିଟ୍ ନିକଟରେ ଏକ ‘ବ୍ରେଥ୍ ଆନାଲାଇଜର୍’ ରହିଛି । ସେନ୍ସର୍ ଦ୍ୱାରା ପରିଚାଳିତ ଏହି ବ୍ରେଥ୍ ଆନାଲାଇଜର୍ର ବିଶେଷତ୍ୱ ହେଲା, ଯଦି ବସ୍ ଡ୍ରାଇଭର୍ ମଦ ପିଇଥିବେ, ବସ୍ ଷ୍ଟାର୍ଟ ହେବନାହିଁ । ଏମିତିକି ଯଦି ଅନ୍ୟ କେହି ବସ୍ ଷ୍ଟାର୍ଟ କରି ପରବର୍ତ୍ତୀ ସମୟରେ ମଦୁଆ ଡ୍ରାଇଭର୍ ଗାଡ଼ି ଚଳାନ୍ତି, ସେହିଠାରେ ହିଁ ବସ୍ ବନ୍ଦ ହୋଇଯିବ ଏବଂ ସାଇରନ୍ ବାଜି ଉଠିବ । ଫଳରେ ବସ୍ରେ ଥିବା ଯାତ୍ରୀମାନେ ମଦୁଆ ଡ୍ରାଇଭର୍ ଗାଡ଼ି ଚଳାଇବାକୁ ଉଦ୍ୟମ କରୁଥିବା ଜାଣିବାକୁ ପାଇ ସତର୍କ ହେବେ ।

ଗାଡ଼ି ଭିତରେ ଯାତ୍ରୀଙ୍କ ପ୍ରତି ଅସଦାଚରଣ, ଚୋରି କିମ୍ବା ଆକ୍ରମଣ ଯଦି ହୁଏ, ସେଠାରେ ଥିବା ସିସିଟିଭି ସବୁ ଘଟଣା କଏଦ୍ କରିନେବ । ଯାତ୍ରୀଙ୍କ ସିଟ୍ ପାଶ୍ୱର୍ରେ ରହିଥିବା ‘ଆଲର୍ଟ ବଟନ୍’ ଚିପିଲେ ନିକଟସ୍ଥ ଥାନାକୁ ଆଲର୍ଟ ପଳାଇବ । ଫଳରେ ପୁଲିସ୍ ଠିକ୍ ସମୟରେ ଅପରାଧ ରୋକିବାକୁ ସକ୍ଷମ ହେବ । ବସ୍ର ଉପରଭାଗରେ ଏକ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ରହିବ, ଯାହା ଦ୍ୱାରା ଗୁରୁତର ସମସ୍ୟା ଆସିଲେ ଯାତ୍ରୀମାନେ ବାହାରକୁ ବାହାରି ପାରିବେ । ଗାଡ଼ି ଭିତରେ ଧୂମପାନ କଲେ ଗାଡ଼ି ଭିତରେ ଥିବା ସ୍ମୋକ୍ ଡିଟେକ୍ଟର୍ ସତର୍କ କରାଇବ ଏବଂ ସାଇରନ୍ ବାଜିବ । ଏଇଭଳି ଅନେକ ଅତ୍ୟାଧୁନିକ ସୁବିଧା ଥିବା ଏହି ବସ୍ ସପ୍ତାହେ ମଧ୍ୟରେ କଟକରୁ କୋରାପୁଟ୍ ଜୟପୁରକୁ ଚଳାଚଳ କରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।