ଶିମିଳିପାଳରୁ ୨ ଶିକାରୀ ଗିରଫ
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡରୁ ୨ଜଣ ଶିକାରୀଙ୍କୁ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳଗିରଫ କରିଛନ୍ତି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡରୁ ୨ଜଣ ଶିକାରୀଙ୍କୁ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳଗିରଫ କରିଛନ୍ତି। ଗିରଫ ୨ଜଣ ହେଲେ କପ୍ତିପଦା ଥାନା ଅଧୀନ ପଥରଖଣି ଗ୍ରାମର ଅନ୍ତର୍ୟ୍ୟାମୀ ନାୟକ(୩୭) ଓ ଉଦଳା ଥାନା ଅଧୀନ ଖଡିକାଶୋଳ ଗ୍ରାମର ଦିଲ୍ଲୀପ ନାଏକ (୩୫)। ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ୮୬ଟି ଲୁହାବଲ୍, ୫୦୦ ଗ୍ରାମର ବିସ୍ଫୋରକ ଦ୍ରବ୍ୟ ଓ ଦିଆସିଲି ସହିତ ଅନ୍ୟାନ୍ୟ ଶିକାରୀ ସରଞ୍ଜାମକୁ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡର ପୋଡ଼ାଡିହା ରେଞ୍ଜରେ ବନ ବିଭାଗର କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀ ଅନ୍ତର୍ୟ୍ୟାମୀ ନାୟକଙ୍କୁ ଧରିଥିଲେ। ଶିକାର କରିବା ଉଦ୍ଦେଶ୍ୟରେ ରଖାଯାଇଥିବା ଗୋଟିଏ ବନ୍ଧୁକ, ୭୨ଟି ଲୁହବଲ୍, ୩୫୦ ଗ୍ରାମର ବିସ୍ଫୋରକ ଦ୍ରବ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀ କୁ ଜବତ କରିଥିଲେ।
ସେହିପରି ଜେନବିଲ ରେଞ୍ଜରେ ଏସଟିପିଏଫ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀ ଦିଲ୍ଲୀପ ନାଏକଙ୍କୁ କାବୁ କରିଥିଲେ। ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୪ଟି ଲୁହବଲ୍, ୧୫୦ ଗ୍ରାମ ବିସ୍ଫୋରକ ଦ୍ରବ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିଲେ।