ମଙ୍ଗଳବାର ଓ ବୁଧବାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା
ଆସନ୍ତା ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଆସନ୍ତା ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏଥିସହ ବଜ୍ରପାତ ଓ ଘଡ଼ିଘଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆସନ୍ତାକାଲି ଅର୍ଥାତ ସୋମବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ବଜ୍ରପାତ ସହ ଘଡିଘଡ଼ି ମାରିବାର ସମ୍ଭାବନା ରହିଛି ।
ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର,ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ମାରିପାରେ । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଅଗଷ୍ଟ ୧୧ ତାରିଖ ଭିତରେ ୬୮୬.୮ ମିଲିମିଟର ବର୍ଷା ହେବା କଥା ।
କିନ୍ତୁ ହୋଇଛି ୬୩୦.୫ ମିଲିମିର ବର୍ଷା । ଅର୍ଥାତ ବର୍ତ୍ତମାନ ସୁଦ୍ଧା ୫୬.୩ ମିଲିମିଟର ବର୍ଷା କମ୍ ହୋଇଛି । ରାଜ୍ୟର ୯ ଜିଲ୍ଲାରେ ସ୍ୱଭାବିକଠାରୁ କମ୍ ବର୍ଷା ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡା । ତେବେ ୧୬ ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇଛି । ଜଗତସିଂହପୁର, କଟକ,ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼,ଦେବଗଡ଼, ଅନୁଗୋଳ, ଗଞ୍ଜାମ,ଗଜପତି, କନ୍ଧମାଳ, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୪ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଏହି ୪ ଜିଲ୍ଲା ହେଲା କୋରାପୁଟ, ନୂଆପଡ଼ା, ସୋନପୁର ଓ ବୌଦ୍ଧ । ତେବେ ମାଲକାନଗିରି ଜିଲ୍ଲାରେ ସ୍ୱଭାବିକଠାରୁ ବହୁତ ଅଧିକବର୍ଷା ହୋଇଛି । ଏଠାରେ ୧୨୩୪.୩ ମିଲିମିଟର ବର୍ଷା ହୋଇଛି ।