ନବୀନଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଆସୁଛନ୍ତି ଓଡ଼ିଶା । ବୁଧବାର ଭୁବନେଶ୍ୱର ଆସିବା ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି । ବୁଧବାର ଅପରାହ୍ନ ୩ଟାରେ ଶ୍ରୀ ବ୍ଲେୟାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ନ ସାଢ଼େ ୩ଟାରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି । ରାତି ସାଢ଼େ ୯ଟାରେ ସେ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଟୋନି ବ୍ଲେୟାରଙ୍କ ସଂସ୍ଥା ‘ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ) ସହ ନିକଟରେ ଓଡ଼ିଶା ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ରୂପାନ୍ତରୀକରଣ ଲକ୍ଷ୍ୟ ପୂରଣ ଦିଗରେ ଟିବିଆଇ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେବ । ଅର୍ଥନୈତିକ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ ।
ନିବେଶକଙ୍କୁ ଆକୃଷ୍ଟ କରିବା ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବ । ଲୋକଙ୍କ ଭାଗିଦାରୀ ବଢ଼ାଇବା ଦିଗରେ ମଧ୍ୟ ଏହି ସଂସ୍ଥା ସହଯୋଗ କରିବ । ଟୋନି ବ୍ଲେୟାରଙ୍କ ଏହି ସଂସ୍ଥା ୪୫ଟି ଦେଶରେ କାର୍ୟ୍ୟ କରୁଛି ।