'ଲକ୍ଷ୍ମୀ ବସ୍‌' ରେ ମିଳିବ ଅତ୍ୟାଧୁନିକ ସୁବିଧା

ମୋ ବସ୍‌' ପରି 'ଲକ୍ଷ୍ମୀ' ବସ୍‌ ରେ ମିଳିବ ଅତ୍ୟାଧୁନିକ ସୁବିଧା ।

'ଲକ୍ଷ୍ମୀ ବସ୍‌' ରେ ମିଳିବ ଅତ୍ୟାଧୁନିକ ସୁବିଧା

ମୋ ବସ୍‌' ପରି 'ଲକ୍ଷ୍ମୀ' ବସ୍‌ ରେ ମିଳିବ ଅତ୍ୟାଧୁନିକ ସୁବିଧା । ଗାଁରୁ ସହରକୁ ଗଡ଼ୁଥିବା ଏହି 'ଲକ୍ଷ୍ମୀ' ବସ୍‌ ସେବା ସ୍ମାର୍ଟସିଟିର ବସ୍‌ଠାରୁ କୌଣସି ଗୁଣରେ କମ୍‌ ହେବ ନାହିଁ । ଅତ୍ୟାଧୁନିକ ବୈଷୟିକ କୌଶଳ ଓ ସୂଚନା ପ୍ରଯୁକ୍ତି ଉପଯୋଗରେ 'ଲକ୍ଷ୍ମୀ' ବସ୍‌ ‌କୁ ଆହୁରି ଲୋକାଭିମୁଖୀ କରିବା ଲାଗି ସରକାରୀସ୍ତରରେ ଏପରି ଏକ ବଡ ନିଷ୍ପତ୍ତି ହୋଇଛି ।

ଏନେଇ ବିଭିନ୍ନ ବିଭାଗ ଓ ଅନୁ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଛି । 'ଲକ୍ଷ୍ମୀ' ବସ୍‌ ରେ ନୂଆନୂଆ ଜ୍ଞାନକୌଶଳର ଉପଯୋଗ, ପରିଚାଳନା ଓ କାର୍ଯ୍ୟ ଅନୁଧ୍ୟାନ ଦିଗରେ ଏହି କମିଟି କାମ କରିବ ।

ସେହିପରି ବସ୍‌ ପରିଚାଳନା ପାଇଁ ଏକ ଆଧୁନିକ ନିୟନ୍ତ୍ରଣ କକ୍ଷ ତିଆରି କରାଯିବ । 'ଲକ୍ଷ୍ମୀ' ବସ୍‌ରେ ସିସିଟିଭି ଠାରୁ ଆରମ୍ଭ କରି ଭେଇକିଲ୍‌ ଟ୍ରାକିଂ ସିଷ୍ଟମ୍‌, ପାନିକ୍‌ ବଟନ୍‌, ଅନ୍‌ଲାଇନ୍ ପେମେଣ୍ଟ ଓ ପାସ୍‌ ଭଳି ସୁବିଧା ଉପଲବ୍ଧ ହେବା ସାଙ୍ଗକୁ ମୋବାଇଲ୍‌ରେ ଜରିଆରେ ବସ୍‌ର ସ୍ଥିତି ଜାଣିବା ପାଇଁ ଏକ ଆପ୍‌ ମଧ୍ୟ ନିର୍ମିତ ହେବ ।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର୍‌(ଓକାକ୍‌) ଜରିଆରେ ଆପ୍ଲିକେସନ୍‌ ପ୍ରସ୍ତୁତ କରାଯାଇ ଲକ୍ଷ୍ମୀ ବସ୍‌ରେ ଲାଗୁ କରାଯିବ । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ 'ଲକ୍ଷ୍ମୀ' ବସ୍‌କୁ ଇନଫର୍ମେସନ୍‌ ଏନେବେଲଡ୍‌ ସର୍ଭିସ୍‌ (ଆଇଟିଇଏସ୍‌) ସହ ଯୋଡ଼ାଯାଇଛି ।

ଏହି କାର୍ଯ୍ୟକ୍ରମର ଅବଧି ୪ ବର୍ଷ ଧାର୍ଯ୍ୟ କରାଯାଇଛି । ପ୍ରଥମ ବର୍ଷ କେବଳ ନୂଆ ନୂଆ ଆଇଟି ବ୍ୟବସ୍ଥାକୁ 'ଲକ୍ଷ୍ମୀ' ବସ୍‌ ସେବା ଅଧୀନକୁ ଅଣାଯିବ । ବାକି ୩ ବର୍ଷ ଏହାର କାର୍ଯ୍ୟ ପରିଚାଳନା ଏବଂ ଅନୁଧ୍ୟାନ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ କିପରି ଏହି ବସ୍‌ ସେବାକୁ ଆହୁରି ଲୋକାଦୃତ କରାଯାଇପାରିବ, ତାହା ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ।

ସେହିପରି ବିଶେଷଜ୍ଞ ଓ ଯାତ୍ରୀଙ୍କ ପ୍ରସ୍ତାବ ଆଧାରରେ ନୂଆ ଆଇଟି ବ୍ୟବସ୍ଥା ସଂଯୋଗ କରିବା ଲାଗି ପଦକ୍ଷେପ ନିଆଯିବ । ଏଥିଲାଗି ଗଠିତ ବୈଷୟିକ କମିଟିରେ ଓକାକ, ପରିବହନ ବିଭାଗ, କ୍ୟାପିଟାଲ ରିଜିଅନ‌ ଅର୍ବାନ‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଓଏସଆରଟିସିର ବିଭିନ୍ନ ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି ।