ମାତୃଶକ୍ତିର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାସ ମୂଲ୍ୟ ଶସ୍ତା କରିଛନ୍ତି:ଧର୍ମେନ୍ଦ୍ର

ରକ୍ଷା ବନ୍ଧନର ଦିନକ ପୂର୍ବରୁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି

ମାତୃଶକ୍ତିର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାସ ମୂଲ୍ୟ ଶସ୍ତା କରିଛନ୍ତି:ଧର୍ମେନ୍ଦ୍ର

ରକ୍ଷା ବନ୍ଧନର ଦିନକ ପୂର୍ବରୁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି । ଏଥିପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ମାଆ ଓ ଭଉଣୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ମାତୃଶକ୍ତିର କଲ୍ୟାଣ ପାଇଁ ରାକ୍ଷୀ ଅବସରରେ ପ୍ରଧାନମନ୍ତ୍ରୀ ବଡ ଉପହାର ସ୍ବରୂପ ଗ୍ୟାସ ମୂଲ୍ୟ ୨୦୦ ଟଙ୍କା ଶସ୍ତା କରିଛନ୍ତି । ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯୬ ଲକ୍ଷ ହିତାଧିକାରୀ ରୋଷେଇ ଗ୍ୟାସର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ୍ ପାଇବେ । ସେହିପରି ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ୫୩ ଲକ୍ଷରୁ ଅଧିକ ହିତାଧିକାରୀମାନେ ୪୦୦ ଟଙ୍କାରୁ କମ୍ ମୂଲ୍ୟରେ ଗ୍ୟାସ ପାଇ ଉପକୃତ ହେବେ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ୨୦୧୪ରେ ଓଡ଼ିଶାରେ ୧ କୋଟି ଘରରୁ ମାତ୍ର ୨୨ ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଲାଗୁ ହେବା ପରେ ୫୩ ଲକ୍ଷ ହିତାଧିକାରୀ ବଢିଥିଲେ । ଆଜି ରାଜ୍ୟର ପାଖାପାଖି ୯୬ ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଛି । ଆଗାମୀ ଦିନରେ ଆଉ ୫ ଲକ୍ଷ ଘରେ ଏଲପିଜି ସଂଯୋଗ ହେବ । ଓଡ଼ିଶାର ମାଆମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ମୋଦି ସରକାର ବଡ ଉପହାର ଦେଇଛନ୍ତି ।