ନିର୍ବାଚନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏଥର ରାଜ୍ୟସଭା ନୁହେଁ ସିଧାସଳଖ ନିର୍ବାଚନ ଲଢ଼ିବେ ବିଜେପିର (BJP) ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର କହିଛନ୍ତି ଦଳ ଯେଉଁଠୁ ଚାହିଁବ ସେଇଠୁ ଲଢିବି।

ଭୁବନେଶ୍ୱର; ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan ) !
ଲୋକସଭା ନା ବିଧାନସଭାରୁ ଲଢ଼ିବେ ଧର୍ମେନ୍ଦ୍ର ! ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି !
ଧର୍ମେନ୍ଦ୍ର କହିଛନ୍ତି ଦଳ ଯେଉଁଠୁ ଚାହିଁବ ସେଇଠୁ ଲଢିବି।
ଏଥର ରାଜ୍ୟସଭା ନୁହେଁ ସିଧାସଳଖ ନିର୍ବାଚନ ଲଢ଼ିବେ ବିଜେପିର (BJP) ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ଲଢିବା ନେଇ ମନ ବଳାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶାରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଧର୍ମେନ୍ଦ୍ରଙ୍କ ସାକ୍ଷାତକାର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ନିର୍ବାଚନ ଲଢିବା ନେଇ ଦଳକୁ ଅନୁରୋଧ କରିଥିବା ନିଜ ସାକ୍ଷାତକାରରେ କହିଛନ୍ତି ଧର୍ମେନ୍ଦ୍ର । ତେବେ ଲୋକସଭା ନା ବିଧାନସଭା ଏହାକୁ ନେଇ ସ୍ପଷ୍ଟ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ । କେଉଁଠୁ ଲଢ଼ିବେ ସେ ସଂକ୍ରାନ୍ତରେ ଦଳ ନିଷ୍ପତି ନେବ ବୋଲି ଧଡ଼ିକିଆ ଉତ୍ତରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ବିଗତ କିଛି ଦିନର ଗତିବିଧି ନିର୍ବାଚନ ଲଢିବା ଦିଗକୁ ସଂକେତ ଦେଉଛି । ସମ୍ବଲପୁର, ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ବି ବାରି ହେଉଛି । ରାଜନୀତିକ କାର୍ଯ୍ୟକ୍ରମ ହେଉ କି ସାମାଜିକ କାର୍ଯ୍ୟକ୍ରମ ବିଭିନ୍ନ କାର୍ଯ୍ୟକ୍ରମରେ ରହୁଛି କେନ୍ଦ୍ରମନ୍ତ୍ରୀଙ୍କ ସକ୍ରିୟ ଅଂଶ ଗ୍ରହଣ । ଏଭଳି ସ୍ଥିତିରେ ପ୍ରତ୍ୟକ୍ଷ ନିର୍ବାଚନ ନେଇ ମନ ବଳେଇବା ଏହି ଲୋକସଭା କ୍ଷେତ୍ର ଆଡ଼କୁ ଇସାରା କରୁଛି। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ଲୋକସଭା କ୍ଷେତ୍ରକୁ ଫୋକସ କରୁଥିବାରୁ ଧର୍ମେନ୍ଦ୍ରଙ୍କୁ ସାମ୍ନାକୁ ଆଣି ଫାଇଦା ନେବାକୁ ଚେଷ୍ଟା କରିବ ବିଜେପି । ବିଜେପିର ଫୋକାସରେ ରହିଛି ଲୋକସଭା । ପ୍ରବାସ କାର୍ଯ୍ୟକ୍ରମ ଜରିଆରେ ଲୋକସଭା କ୍ଷେତ୍ରରେ ସଙ୍ଗଠନ ବିସ୍ତାର ପାଇଁ ଦୁଇ ସୁତ୍ରୀ ଫର୍ମୁଲା ଆପଣେଇଛି ପଦ୍ମ କ୍ୟାମ୍ପ । ଦଳୀୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଆଧାରରେ ମଇଦାନକୁ ଓହ୍ଲାଇବ ଦଳ । ଏଭଳି ସ୍ଥିତିରେ ଧର୍ମେନ୍ଦ୍ରଙ୍କ ଆଭିମୁଖ୍ୟ ଦଳକୁ ଫାଇଦା ଦେବ ବୋଲି ଆଶା ବାନ୍ଧିଛି ବିଜେପି ।
ବିଜେଡି କହିଛି ଏହା ତାଙ୍କ ଦଳୀୟ ବ୍ୟାପାର । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ । ଯିଏ ବି ନିର୍ବାଚନ ଲଢନ୍ତୁ ଏହାର କୌଣସି ପ୍ରଭାବ ପଡିବ ନାହିଁ । ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି "ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଜଣେ ଦକ୍ଷ ନେତା। ଏମିତି କି ଓଡ଼ିଶାର ବିକାଶ ପାଇଁ ତାଙ୍କର ଅନେକ ଯୋଗଦାନ ରହିଛି । ନିର୍ବାଚନ ଗଣତନ୍ତ୍ରର ଏକ ପ୍ରକ୍ରିୟା। ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିଲେ ରାଜ୍ୟ ବିଜେପି ପାଇଁ ନିଶ୍ଚିତ ଭାବରେ ଫାଇଦା ହେବ । ବିଜେଡି ବିଧାୟକ ଅମର ସତପଥୀ କହିଛନ୍ତି "ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ କାହାରିକୁ ମନା ନାଇଁ । ଧର୍ମେନ୍ଦ୍ର ନିର୍ବାଚନରେ ଛିଡା ହେବେ ନା ନାହିଁ ତାହା ତାଙ୍କର ଓ ତାଙ୍କ ଦଳର କଥା । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ। ଯିଏ ଠିଆ ହେଉ କି ନହେଉ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।୨୦୦୦ ରୁ ୨୦୦୪ ପାଲଲହଡ଼ା ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ବେଳେ ୨୦୦୪- ୨୦୦୯ ପର୍ଯ୍ୟନ୍ତ ଦେବଗଡ଼ ଲୋକସଭାରୁ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର। ସେବେଠୁ ପ୍ରତ୍ୟକ୍ଷ ନିର୍ବାଚନଠୁ ଦୂରେଇ ରହିବା ସହ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇ ବହୁ ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀପଦ ତୁଲାଉଛନ୍ତି। ସଙ୍ଗଠନ କ୍ଷେତ୍ରରେ ବି ବେଶ୍ ଦବ ଦବା ରହିଛି।