ପୁରା ଗାଁକୁ ଠକିଦେଲା ସାଇବର ଠକ

ସବୁ ବେଳେ ଅଧିକ ଲୋଭ ମଣିଷକୁ ଅସୁବିଧାରେ ପକାଇଥାଏ

ପୁରା ଗାଁକୁ ଠକିଦେଲା ସାଇବର ଠକ

ସବୁ ବେଳେ ଅଧିକ ଲୋଭ ମଣିଷକୁ ଅସୁବିଧାରେ ପକାଇଥାଏ । ଏଇ ଯେମିତି ଟଙ୍କା ଦୁଇ ଗୁଣା ହୋଇଯିବାର ଲୋଭ ଗ୍ରାମବାସୀଙ୍କୁ ଅସୁବିଧାରେ ପକାଇ ଦେଇଛି । ସେମାନଙ୍କ କଷ୍ଟ ଅର୍ଜିତ ଅର୍ଥକୁ ସାଇବର ଠକ ହାତରେ ଟେକି ଦେଇଛି । ଟି ଆଣ୍ଡ ଜି ନାମକ ଏକ ଆପ୍ ମାଧ୍ୟମରେ ଗଞ୍ଜାମ ରାମ୍ଭା ଥାନା ବଡରାମପଲ୍ଲୀ ଗାଁଁରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଠକି ନେଇଛି ସାଇବର ଠକ ।

ଅନଲାଇନ୍ ଆପ୍ ଜରିଆରେ ଟଙ୍କା ରୋଜଗାର କରିବା ଲୋଭରେ ପଡି ଠକେଇର ଶିକାର ହୋଇଛନ୍ତି ଗ୍ରାମବାସୀ । ବଡରାମପଲ୍ଲୀ ଗାଁର କୃଷ୍ଣ ଚନ୍ଦ୍ର ମହାକୁଡ ନାମକ ଯୁବକ ଟି ଆଣ୍ଡ ଜି ନାମକ ଏକ ଆପ୍ରେ ପ୍ରଥମେ ୪ ହଜାର ଟଙ୍କ ଡିପୋଜିଟ କରିଥିଲେ । ସେହି ଆପ୍ ଜରିଆରେ ପ୍ରତ୍ୟକ ଦିନ ୮୦୦ ଟଙ୍କା ପାଉଥିଲେ । ଏକଥା ଜାଣିବା ପରେ ଗାଁର ଅନ୍ୟ ଯୁବକ, ମହିଳା, ବୟସ୍କ ବ୍ୟକ୍ତି ଏହି ଆପରେ ଟଙ୍କା ବିନିଯୋଗ କଲେ, ପ୍ରଥମେ ପ୍ରଥମେ ଭଲ ରୋଜଗାର ବି ହେଲା । ପୁରା ଗାଁର ଲୋକଙ୍କୁ ହାତ ମୁଠାକୁ ଆଣିବା ପରେ ଅଫର ଦେଲା ସାଇବର ଠକ । ଜୁଲାଇ ୧୪ରୁ ୧୭ ପର୍ୟ୍ୟନ୍ତ ଅଫର ଅଛି, ଟଙ୍କା ତିନିରୁ ୪ଗୁଣ ହେବାର ଆଶା ଦେଖାଇଲା, ବିଚରା ଗ୍ରାମବାସୀ କିଛି ବୁଝି ନପାରି ନିଜର ସମସ୍ତ ସଂଚିତ ଅର୍ଥକୁ ସେହି ଆପ୍ରେ ଜମା କରାଦେଲେ । ଗ୍ରାମବାସୀ ପ୍ରାୟ ୧ କୋଟିରୁ ଅଧିକ ।ଟଙ୍କା ଜମା କରିବା ପରେ ଆଉ ଆପ୍ କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇ ପାରିଲା ନାହିଁ । କି ଆପରେ ଥିବା ଟଙ୍କା ଆକାଉଂଟକୁ ଆସିଲା ନାହିଁ । ଖୋଳାତାଡ କରିବାରୁ ଜଣାପଡିଲା ପୁରା ଗାଁର ୯୦ ଭାଗ ଲୋକ ସାଇବର ଠକାମିର ଶିକାର ହୋଇଛନ୍ତି । ହେଲେ କେହି ଏନେଇ ଥାନାରେ ଅଭିଯୋଗ କରିନାହାନ୍ତି ।

ସାଇବର ଠକ୍ ପ୍ରଥମେ ଅନଲାଇନ୍ ଆପ୍ ଜରିଆରେ ଅଧିକ ରୋଜଗାରର ଥୋପ ପକାଇ ପୁରା ଗାଁକୁ ଠକି ଦେଇଛି । ଆଉ ଟଙ୍କା ଦୁଇ ଗୁଣା ହୋଇଯିବା ଲୋଭରେ ପଡି ସାଇବର ଠକର ବନିସିର କଂଟାକୁ ଗିଳି ଦେଇଛନ୍ତି ଗ୍ରାମବାସୀ ।