ହୋଲିରେ ମଦ ପିଇ ଗାଡ଼ି ଚଲାଇଲେ ଉଠାଇ ନେବ ପୁଲିସ, ପ୍ରତିଛକରେ ନାକାବନ୍ଦୀ କରି କରାଯିବ ଚେକିଂ

ରଙ୍ଗର ପର୍ବ ହୋଲିକୁ ନଜରରେ ରଖି କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଯେପରି ଶାନ୍ତି ଶୃଙ୍ଖଳାରେ ସହରବାସୀ ହୋଲି ପାଳନ କରିବେ ସେଥିଲାଗି ପୁଲିସ ଗୁରୁତ୍ୱ ଦେଉଛି।

ହୋଲିରେ ମଦ ପିଇ ଗାଡ଼ି ଚଲାଇଲେ ଉଠାଇ ନେବ ପୁଲିସ, ପ୍ରତିଛକରେ ନାକାବନ୍ଦୀ କରି କରାଯିବ ଚେକିଂ

ରଙ୍ଗର ପର୍ବ ହୋଲିକୁ ନଜରରେ ରଖି କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଯେପରି ଶାନ୍ତି ଶୃଙ୍ଖଳାରେ ସହରବାସୀ ହୋଲି ପାଳନ କରିବେ ସେଥିଲାଗି ପୁଲିସ ଗୁରୁତ୍ୱ ଦେଉଛି। ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖିବାକୁ ସମସ୍ତ ଜୋନ୍‌ ଏସିପି ଓ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।

ଏଥିପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେନେଇ ଡିସିପି ପ୍ରତୀକ ସିଂ ସବୁ ଥାନା ଅଧିକାରୀ ଏବଂ ଏସିପିଙ୍କ ସହ ଆଲୋଚନକରି ପଦକ୍ଷେପ ନେଇଛନ୍ତି।

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ହୋଲି ଦିନ ରାଜଧାନୀରେ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ସହରର ପ୍ରତି ଛକରେ ପୁଲିସ ଏହି ବ୍ଲକିଂ ଏବଂ ଚେକିଂ କରିବ। ବିଶେଷକରି ମଦୁଆଙ୍କ ଉପରେ କଡ଼ା ନଜର ରହିବ। ଯେଉଁମାନେ ମଦ ପିଇ ଗାଡ଼ି ଚଲାଇବେ ସେମାନଙ୍କୁ ପୁଲିସ ଉଠାଇ ନେଇ ଗାଡ଼ି ଜବତ କରିବା ସହ ମଦ୍ୟପକୁ ଅଟକ ରଖିବ। ଆହୁରି ମଧ୍ୟ ହୋଲିଦିନ ଗଣ୍ଡଗୋଳ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ସେହିଦିନ ପିସିଆର ଭ୍ୟାନ୍‌ ଏବଂ ବ୍ରିଟ୍‌ ପାଟ୍ରୋଲିଂ ଟିମ୍‌ ସହର ସାରା କଡ଼ା ପଇଁତରା ମାରିବ। ଆହୁରି ମଧ୍ୟ ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ନିଜ ନିଜ ଥାନା ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରିବା ସହ ସେମାନେ ମଧ୍ୟ ପୁଲିସ ଗାଡ଼ିରେ ବୁଲିବେ। ବଡ଼କଥା ହେଲା ହୋଲିରେ ନଦୀରେ ଗାଧୋଇବା ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଛି। ତେଣୁ ରାଜଧାନୀର ବଡ଼ ପୋଖରୀ ଏବଂ କୁଆଖାଇ ନଦୀ ପଠାରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ। ଯଦି କିଛି ଅଘଟଣ ଘଟେ ସେମାନେ ଏହାକୁ ତୁରନ୍ତ ପ୍ରତିହତ କରିବେ।

ଏଥର କିନ୍ତୁ ପୁଲିସ ରସାୟନିକ ରଙ୍ଗରେ ହୋଲି ଖୋଳିବାକୁ ବାରଣ କରିଛି। ଯଦି କୌଣସି ଦୋକାନୀ ରାସାୟନିକ ରଙ୍ଗ ବିକ୍ରିକରନ୍ତି ତେବେ ପୁଲିସ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। କେବଳ ହର୍ବାଲ୍‌ ରଙ୍ଗରେ ହୋଲି ଖୋଳିବାକୁ ପୁଲିସ ଲୋକଙ୍କୁ ସଚେତନ କରିଛି। କାରଣ ରାସାୟନିକ ରଙ୍ଗ ଶରୀର ପ୍ରତିକ୍ଷତି କାରଣ ହୋଇଥିବାରୁ ପୁଲିସ ଏହାକୁ ବାରଣ କରିଛି। ଯେଉଁମାନେ ବିକ୍ରି କରିବେ ପୁଲିସର ଟିମ୍‌ ଚଢ଼ଉ କରି ରଙ୍ଗ ଜବତ କରିବେ ବୋଲି ଡିସିପି ସୂଚନା ଦେଇଛନ୍ତି।