୨୮ରେ ନବୀନ ବାଣ୍ଟିବେ ଜାଗା ମିଶନ ପଟ୍ଟା

ବିଏମ୍‌ସି ପକ୍ଷରୁ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜାଗାମିଶନ ଜରିଆରେ ଆସନ୍ତା ୨୮ ତାରିଖରେ ପ୍ରମାଣପତ୍ର ପ୍ରଦାନ କରାଯିବ

୨୮ରେ ନବୀନ ବାଣ୍ଟିବେ ଜାଗା ମିଶନ ପଟ୍ଟା

ବିଏମ୍‌ସି ପକ୍ଷରୁ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜାଗାମିଶନ ଜରିଆରେ ଆସନ୍ତା ୨୮ ତାରିଖରେ ପ୍ରମାଣପତ୍ର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପଟ୍ଟା ବାଣ୍ଟିବେ । ପୂର୍ବରୁ ୧୮ ଓ ୨୫ ଦୁଇଟି ତାରିଖ ବଦଳିଥିବା ବେଳେ ଏଥର ଚୂଡ଼ାନ୍ତ କରାଯାଇଛି । ପଟ୍ଟା ବଣ୍ଟନକୁ ନେଇ ସୋମବାର ବିଏମ୍‌ସି କାର୍ୟ୍ୟାଳୟ ପରିସରରେ ଜରୁରୀ ବୈଠକ ବସିଥିଲା ।

ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ । ଏଥିରେ ଜାଗା ମିଶନର ପଟ୍ଟା ସର୍ମ୍ପକରେ ଆଲୋଚନା ହୋଇଥିଲା । କଳିଙ୍ଗ ଷ୍ଟାଡିୟମରେ ୨୮ ତାରିଖରେ ଭବ୍ୟ ଆୟୋଜନ କରାଯିବ । ବିଏମ୍‌ସି ଅଞ୍ଚଳରେ ୫୧ ହଜାର ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୩୬୧ ବସ୍ତି ବାସିନ୍ଦା ଉପକୃତ ହେବେ। ୫ ହଜାର ଲୋକଙ୍କୁ କଳିଙ୍ଗ ଷ୍ଟାଡିୟମ ଓ ବାକି ଲୋକଙ୍କୁ ନିର୍ବାଚନମଣ୍ଡଳୀରେ ପଟ୍ଟା ବଣ୍ଟନ କରାଯିବ । ସବୁ ବସ୍ତି ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି । ଏହା ସହ ରାଜ୍ୟରେ ଥିବା ଅନ୍ୟ ୫ ମହାନଗର ନିଗମ, ଏନ୍‌ଏସି ଓ ମୁନିସିପାଲିଟିରେ ମଧ୍ୟ ଭୂମିହୀନଙ୍କୁ ପଟ୍ଟା ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି ।