ସବୁଦିନ ପାଇଁ ବନ୍ଦ ହେବ ୨୭୫୪୬ଟି ବକେୟା ଟିକସ ମାମଲା

ରାଜ୍ୟ ସରକାର ୨୭୫୪୬ଟି ବକେୟା ଟିକସ ମାମଲାକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସବୁଦିନ ପାଇଁ ବନ୍ଦ ହେବ ୨୭୫୪୬ଟି ବକେୟା ଟିକସ ମାମଲା

 ରାଜ୍ୟ ସରକାର ୨୭୫୪୬ଟି ବକେୟା ଟିକସ ମାମଲାକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟିକସ ମାମଲାଗୁଡ଼ିକର ଫଇସଲା କରିବାରେ ଯେତିକି ମାନବସମ୍ବଳ ବିନିଯୋଗ ହେବ ତାହା ଆଦାୟ ବକେୟା ପରିମାଣ ତୁଳନାରେ ଢେର ବେଶୀ ବ୍ୟୟବହୁଳ ହେବ । ତେଣୁ ମୋଟ ୩୨.୭୩କୋଟି ଟଙ୍କା ବକେୟା ଟିକସର ଏହି ୨୭୫୪୬ଟି ମାମଲାକୁ ସବୁଦିନ ପାଇଁ ବନ୍ଦ କରିବାକୁ ରାଜ୍ୟ ଅର୍ଥ ବିଭାଗର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ କୁହାଯାଇଛି ଯେ, ରାଜ୍ୟରେ ଏବେ ମୋଟ ୮୧୫୬.୭୨କୋଟି ଟଙ୍କାର ବକେୟା ଟିକସ ସଂକ୍ରାନ୍ତ ୫୯୨୪୩ଟି ମାମଲା ବିଚାରାଧୀନ ରହିଛି । ସେଥିରୁ ୫୦୦୧ଟଙ୍କାରୁ ୨୫ହଜାର ଟଙ୍କା ମଧ୍ୟରେ ୨୭୫୪୬ଟି ଟିକସ ମାମଲା ରହିଛି ଯାହାର ମୋଟ ବକେୟା ପରିମାଣ ହେଉଛି ୩୨କୋଟି ୭୩ଲକ୍ଷ ୯୭ହଜାର ୮୭୬ଟଙ୍କା । ଯଦି ଏହି ଟିକସକୁ ଛାଡ଼ ପାଇଁ ବିଚାର କରାଯାଏ ତା’ହେଲେ ମୋଟ ବକେୟା ରାଜସ୍ୱର ୦.୪% ବକେୟ ରାଜସ୍ୱ ଛାଡ଼ ସହିତ ବକେୟା ମାମଲା ସଂଖ୍ୟା ମଧ୍ୟ ୪୬% ହ୍ରାସ ପାଇବ । ଆଇନର ବ୍ୟବସ୍ଥା ଅନୁସାରେ ଏହି ବକେୟା ୩୨.୭୩କୋଟି ଟଙ୍କାର ଟିକସ ଆଦାୟ ପ୍ରକ୍ରିୟା ବା ମାମଲାର ଫଇସଲା ପାଇଁ ଯେତିକି ମାନବ ସମ୍ବଳ ଓ ସମୟ ଆବଶ୍ୟକ ହେବ ସେହି ଅନୁପାତରେ ଅସୁଲ ହେବାକୁ ଥିବା ବକେୟା ପରିମାଣ ନଗଣ୍ୟ । ଯଦି ଏହି ମାନବ ସମ୍ବଳକୁ ଜିଏସଟି ରାଜସ୍ୱ ଆଦାୟରେ ବିନିଯୋଗ କରାଯିବ ତା’ହେଲେ ରାଜ୍ୟ ସରକାରଙ୍କୁ ବିପୁଳ ପରିମାଣର ଅନାଦେୟ ବକେୟା କର ଆଦାୟର ସୁଯୋଗ ମିଳିବ । ଏହାମଧ୍ୟ ସରକାର ଓ ଟିକସଦାତାଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବ ତଥା କରଦାତାଙ୍କୁ ସୁବିଧା ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।ତେବେ ଏହ ୨୭୫୪୬ଟିି ବକେୟା ଟିକସ ମାମଲାରେ ଯଦି ଓଡ଼ିଶା ପ୍ରଫେସନାଲ ଟ୍ୟାକ୍ସ, ଟ୍ରେଣ୍ଡ ଆଣ୍ଡ କଲିଙ୍ଗ ଆଣ୍ଡ ଏମ୍ପ୍ଲଏମେଂଟ ଆକ୍ଟ-୨୦୦୦ ଅଧୀନରେ କୌଣସି ବକେୟା ଟିକସ ଥିବ ତାହା ଛାଡ଼ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ସୂଚନାରେ ଉଳ୍ଲେଖ ରହିଛି ।