ଆସନ୍ତାକାଲିଠୁ ୧୬ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିଠୁ ୧୬ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ

ଆସନ୍ତାକାଲିଠୁ ୧୬ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ, ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଆଜି କୋଭିଡ୍ ଓ ହିଟୱେଭକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି। ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ତତଲା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ। ଫଳରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ ଡିଗ୍ରୀ ବଢ଼ିବ। ବିଶେଷକରି ଆଭ୍ୟନ୍ତରିତ ଓଡ଼ିଶାରେ ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତି ଅନୁଭୂତ ହେବ। ଏହାର ଅର୍ଥ ଦିନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ୩ରୁ ୫ ଡିଗ୍ରୀ ରେକର୍ଡ ହୋଇପାରେ। ଏଥିପାଇଁ ଲୋକମାନେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ବାହାରିବା ବେଳେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଏପରି ପାଗ ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏଥି ସହିତ ଭାରତୀୟ ପାଣିପାଗ ବିଭାଗର ହିଟୱେଭ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସି ବିଭିନ୍ନ ଜିଲ୍ଲାକୁ ଆଡଭାଇଜରି ଜାରି କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବୈ।ଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଆଡଭାଇଜରି ଜାରି କରାଯାଇଛି। ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲା ପ୍ରଶାସନ ଗୁଡିକୁ କୁହାଯାଇଛି । ଶିଶୁ, ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଲୋକମାନଙ୍କୁ ହିଟୱେଭରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।