କ୍ୟାବିନେଟ: ଗଠନ ହେବ ୩ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ
ପୁରାତନ ଐତିହ୍ୟ, ସଂସ୍କୃତି, ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ତଥା ଗ୍ରନ୍ଥାଗାରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୩ଟି ନୂତନ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବେ।

ପୁରାତନ ଐତିହ୍ୟ, ସଂସ୍କୃତି, ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ତଥା ଗ୍ରନ୍ଥାଗାରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୩ଟି ନୂତନ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବେ। ସେଗୁଡ଼ିକ ହେଲା ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ, ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶାଳୟ। ଉକ୍ତ ନିର୍ଦ୍ଦେଶାଳୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ୟ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଉକ୍ତ ନିର୍ଦ୍ଦେଶାଳୟ ଗଠନକୁ ଅନୁମୋଦନ କରାଯାଇଛି।
ଐତିହ୍ୟ କ୍ୟାବିନେଟ୍ର ପ୍ରଥମ ବୈଠକ ନିଷ୍ପତ୍ତି ଅନୁଯାୟୀ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଗ୍ରନ୍ଥାଗାରଗୁଡ଼ିକର ପରିଚାଳନା ନିମିତ୍ତ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ରାଜ୍ୟ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନ ହେଲେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ବିଭିନ୍ନ ଜିଲାରେ ଥିବା ଜିଲା ଗ୍ରନ୍ଥାଗାର ଓ ବ୍ଲକସ୍ତରୀୟ ବିଭିନ୍ନ ଗ୍ରାମୀଣ ଗ୍ରନ୍ଥାଗାରଗୁଡ଼ିକର ସୁପରିଚାଳନା ହୋଇପାରିବ।
ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ନିର୍ଦ୍ଦେଶାଳୟ ପାଇଁ ଗ୍ରନ୍ଥାଗାରିକ ସେବା ସଂବର୍ଗ ସୃଷ୍ଟି ସହିତ ସହକାରୀ ଗ୍ରନ୍ଥାଗାରିକ, ଉପଗ୍ରନ୍ଥାଗାରିକ, ସହନିର୍ଦ୍ଦେଶକ/ଗ୍ରନ୍ଥାଗାରିକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ଗ୍ରନ୍ଥାଗାରିକ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶକ ଇତ୍ୟାଦି ପଦବୀ ସୃଷ୍ଟି କରାଯାଇଛି।
ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଗଠନ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଓଡ଼ିଶାର ବହୁ ପୁରାତନ ମନ୍ଦିର ଓ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ଆବିଷ୍କୃତ ହୋଇସାରିଥିବା ବେଳେ ଏବେ ମଧ୍ୟ ବିଭିନ୍ନ କୀର୍ତ୍ତିରାଜି ଆବିଷ୍କୃତ ହେଉଛି। ସ୍ବତନ୍ତ୍ର ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସ୍ଥାପନ ହେଲେ ଓଡ଼ିଶାର କୋଣ ଅନୁକୋଣରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ହୋଇପାରିବ। ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ପଦବୀ ସୃଷ୍ଟି ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ନିର୍ଦ୍ଦେଶାଳୟ ପାଇଁ ସହକାରୀ ସଂଗ୍ରାହକ, ସଂଗ୍ରାହକ/ସହନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ, ରାଜ୍ୟ ପ୍ରତ୍ନତତ୍ତ୍ବ ଓ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି। ଏହି ନିର୍ଦ୍ଦେଶାଳୟ ନିମନ୍ତେ ଏକ ସ୍ବତନ୍ତ୍ର ଯାନ୍ତ୍ରିକ ଶାଖା ମଧ୍ୟ ସୃଷ୍ଟି ହୋଇଛି। ଓଡ଼ିଶାରେ ବହୁ ପୁରାତନ ମନ୍ଦିର ତଥା ବିଭିନ୍ନ ସମୟର ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି ଓ ବର୍ତ୍ତମାନ ମଧ୍ୟ ବିଭିନ୍ନ କୀର୍ତ୍ତିରାଜିର ଆବିଷ୍କାର ହେବାକୁ ଅଛି। ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ନିମିତ୍ତ ଏହି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ କାର୍ୟ୍ୟ କରିବ।
ସେହିପରି ତୃତୀୟ ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ସଂଗ୍ରହାଳୟ (ମ୍ୟୁଜିୟମ) ନିର୍ଦ୍ଦେଶାଳୟ ଗଠନ କରିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ସଂଗ୍ରହାଳୟଗୁଡ଼ିକର ପରିଚାଳନା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ସେହିପରି ଓଡ଼ିଶାର ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଏବଂ ଏହା ଉପରେ ଗବେଷଣା ଓ ପ୍ରଚାର ନିମିତ୍ତ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସଂଗ୍ରହାଳୟ ନିମିତ୍ତ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ନୂତନ ପଦବୀ ସୃଷ୍ଟି ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିର୍ଦ୍ଦେଶାଳୟ ସହକାରୀ ସଂଗ୍ରାହକ, ସଂଗ୍ରାହକ/ ସହ-ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଓ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ ସୃଷ୍ଟି ହେବ। ଏହା ଦ୍ୱାରା ରାଜ୍ୟର କଳା, ଭାସ୍କର୍ୟ୍ୟ ଓ ଐତିହ୍ୟଗୁଡିକର ସୁଚାରୁରୂପେ ସଂରକ୍ଷଣ, ପରିଚାଳନା ଓ ଗବେଷଣା ସହ ଉପଯୁକ୍ତ ପ୍ରଚାର ହୋଇପାରିବ।