ଭଞ୍ଜନଗର ଯାତ୍ରା ଆରମ୍ଭ: ରାତିରେ ଆସିବେ ମା’ ଠାକୁରାଣୀ

ଆଜି ଠାରୁ ଆରମ୍ଭ ହୋଇଛି ଭଞ୍ଜନଗର ସହରର ୨୧ ଦିନିଆ ମା’ ଠାକୁରାଣୀ ଯାତ୍ରା।

ଭଞ୍ଜନଗର ଯାତ୍ରା ଆରମ୍ଭ: ରାତିରେ ଆସିବେ ମା’ ଠାକୁରାଣୀ

ଆଜି ଠାରୁ ଆରମ୍ଭ ହୋଇଛି ଭଞ୍ଜନଗର ସହରର ୨୧ ଦିନିଆ ମା’ ଠାକୁରାଣୀ ଯାତ୍ରା। ସକାଳୁ ବିଧିବିଧାନ ପ୍ରକାରେ ଭଞ୍ଜନଗରରୁ ଯାତ୍ରା କମିଟି କର୍ମକର୍ତ୍ତା ମା’ ବ୍ୟାଘ୍ରଦେବୀଙ୍କୁ ପାଛୋଟି ଆଣିବାକୁ କୁଲାଡ଼ ଗ୍ରାମକୁ ଯାଇଥିଲେ। ମା’ ବ୍ୟାଘ୍ରଦେବୀଙ୍କୁ ସୁସଜ୍ଜିତ ଶଗଡ଼ରେ ମୂଳ ମନ୍ଦିରରୁ ଅଣାଯାଇଛି। କୁଲାଡ଼ ଗ୍ରାମରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର କୁମାର ବିଷୋୟୀ ଘଟ ପ୍ରତିମାର ପ୍ରାଣ ପ୍ରତିଷ୍ଠା ପାଇଁ ଯଜ୍ଞ କର୍ମ ସମ୍ପାଦନ କରିବା ପରେ ଗ୍ରାମ ପରିକ୍ରମା ସାରି ଦେବୀ ଶଗଡ଼ ଯୋଗେ ବାପଘର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ।

ପ୍ରାୟ ୮ କିମି ଦୂର ଆସିବା ମଧ୍ୟରେ ରାସ୍ତାସାରା ଭକ୍ତମାନେ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ। ମା’ ଭଞ୍ଜନଗର କୁଲାଡ଼ ରୋଡ ମଧ୍ୟରେ ବିଶ୍ରାମ ସହ ଅଧର ପଣା ଗ୍ରହଣ କରିଛନ୍ତି। ସେଠାରୁ ରାତି ୯ଟାରେ ଘଟ ପ୍ରତିମାଙ୍କୁ ପୂଜକ ଯାତ୍ରାର ମୁଖ୍ୟ ପୁରୋଧା ତଥା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ହସ୍ତରେ ଅର୍ପଣ କରିବେ। ଏହାପରେ ଅସ୍ଥାୟୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଦେବୀ।

ବିଳମ୍ବିତ ରାତିରେ ଆଉ ଏକ ପଟୁଆରରେ ମା’ ଠାକୁରାଣୀଙ୍କୁ ତାଙ୍କ ମନ୍ଦିରରୁ ଅସ୍ଥାୟୀ ପୀଠକୁ ଅଣାଯିବ। ଦେବୀଙ୍କ ଆଜ୍ଞାମାଳ ପାଇବା ପରେ ଫୁଲ ଚିଙ୍ଗୁଡ଼ିରେ ମା’ଙ୍କୁ ବିଜେ କରାଯାଇ ଅସ୍ଥାୟୀ ପୀଠକୁ ନିଆଯିବ। ସେଠାରେ ପ୍ରସ୍ତୁତ ଘଟ ପ୍ରତିମାରେ ଉକ୍ତ ଆଜ୍ଞାମାଳ ରଖିବା ପରେ ସମସ୍ତ ନୀତିକାନ୍ତି ମୁତାବକ ଦୁଇ ଶକ୍ତିଙ୍କ ପୂଜା ଅର୍ଚ୍ଚନା କରାଯିବ। () ଯାତ୍ରା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ମା’ ଠାକୁରାଣୀଙ୍କ ପୂଜକ ତଥା ଦାମଲା ସେବକମାନେ ପରମ୍ପରା ଅନୁଯାୟୀ ସହରର ଚତୁର୍ଦ୍ଦିଗରେ ସନ୍ଧି ପୂଜା କରିଥିଲେ। ଯାତ୍ରା ପାଇଁ ଭଞ୍ଜନଗର ସହରକୁ ନୂଆ ରୂପରେ ସଜେଇ ଦିଆଯାଇଛି।

ସହରର ଠାକୁରାଣୀ ପଡ଼ିଆ ଠାରେ ଅସ୍ଥାୟୀ ମନ୍ଦିର ସୁସଜ୍ଜିତ ହୋଇ ଉଭୟ ଦେବୀଙ୍କ ପ୍ରତୀକ୍ଷା କରିଛି।ଅସ୍ଥାୟୀ ମନ୍ଦିରର ମୁଖଶାଳା ସହ ବିରାଟ ତୋରଣ ଏବଂ ରାସ୍ତାର ଉଭୟ ପାର୍ଶ୍ବରେ ଝୋଟି ଚିତା, କାନ୍ଥବାଡରେ ସୁଦୃଶ୍ୟ ଥ୍ରୀଡି କଲର୍ ଆର୍ଟ ସହରର ନବକଳେବର କରାଇଛି। ସେହିପରି ସହରର ପ୍ରତିଷ୍ଠିତ ଶିଳ୍ପୀ ଧ୍ରୂବ ମହାରଣା ମଙ୍ଗଳବାର ମା’ ବ୍ୟାଘ୍ରଦେବୀ ଓ ମା’ ଠାକୁରାଣୀଙ୍କ ବିଜେ ଘଟ ପ୍ରତିମାରେ ନିଜ ତୁଳୀର ଶେଷ ସ୍ପର୍ଶ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ଦଳ ଏବେ ଭଞ୍ଜନଗର ସହରରେ ନିଜ କଳା ପ୍ରଦର୍ଶନ ପାଇଁ ପହଞ୍ଚି ଗଲେଣି। ତାମିଲନାଡୁର ଶିବକାଶୀ ସମେତ ଆମ ରାଜ୍ୟର ସାଲେପୁର ଓ ନୟାଗଡ଼ରୁ ମଧ୍ୟ ଆତସବାଜି ଆସିଯାଇଛି। ଯାତ୍ରାରମ୍ଭ ସମାରୋହ ଏସବୁକୁ ନେଇ ରଙ୍ଗାରଙ୍ଗ ଝଲସି ଉଠିବ।