ଆଜାଦୀ କା ଅମୃତ ମହୋତ୍ସବ ଉଦ୍ଯାପିତ
ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୧ରେ ଆରମ୍ଭ ହୋଇଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ମଙ୍ଗଳବାର ଉଦ୍ଯାପିତ ହୋଇଛି

ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୧ରେ ଆରମ୍ଭ ହୋଇଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ମଙ୍ଗଳବାର ଉଦ୍ଯାପିତ ହୋଇଛି । ଏହି ଅବସରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଗତ ଏକ ହଜାର ଦିନ ଧରି ଚାଲିଥିବା ଏହି ମହୋତ୍ସବ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଅତୀତରେ ଦାଣ୍ଡି ଯାତ୍ରା ଯେପରି ଭାରତୀୟଙ୍କୁ ଏକାଠି କରିପାରିଥିଲା, ସେହିପରି ଅମୃତ ମହୋତ୍ସବ ମଧ୍ୟ ଲୋକଙ୍କ ମଧ୍ୟ ଅନୁରୂପ ଦେଶାତ୍ମବୋଧ ଭାବନା ସୃଷ୍ଟି କରିବାରେ ସଫଳ ହୋଇଛି । ଭରତ ଇତିମଧ୍ୟରେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ପାଲଟିଥିବାବେଳେ ୨୦୪୭ ମସିହା ସୁଦ୍ଧା ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବା ପାଇଁ ଦେଶବାସୀ ଉଦ୍ୟମ କରିବା ଜରୁରୀ ବୋଲି ମୋଦୀ ଆହ୍ୱାନ ଦେଇଛନ୍ତି ।
ଏଥିସହିତ ‘ମେରି ମାଟି, ମେରା ଦେଶ’ ଅଭିଯାନର ମଧ୍ୟ ପରିସମାପ୍ତି ଘଟିଛି । ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଭୂମିକା ସୃଷ୍ଟି କରିବା ପାଇଁ ମୋଦୀ ‘ମେରା ଯୁବ ଭାରତ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ (ପୂର୍ବନାମ ରାଜପଥ)ରେ ଆୟୋଜିତ ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ । ମଙ୍ଗଳବାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ପାଳିତ ହେଉଥିବାବେଳେ କର୍ତ୍ତବ୍ୟ ପଥରେ ଆୟୋଜିତ ଏହି ମହାଯଜ୍ଞ ଦେଶର ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋଦୀ କହିଛନ୍ତି । ୨୦୨୧ ମାର୍ଚ୍ଚ ୧୨ରେ ଗୁଜରାଟର ସାବରମତି ଆଶ୍ରମରୁ ‘ଆଜାଦୀ କା ଅମୃତ ମହୋତ୍ସବ’ର ଶୁଭାରମ୍ଭ ହୋଇଥିଲା ।