ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍

ଗାଡ଼ିରେ ଲାଗିବ ଭିଏଲ୍‌ଟିଡି: ନୂଆବର୍ଷରୁ ନୂଆ ଯାନବାହନ, ୨୦୨୪ ଜୁନ୍ ୩୦ ସୁଦ୍ଧା ପୁରୁଣା ପାଇଁ ବାଧ୍ୟତାମୂଳକ

ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍

ଭୁବନେଶ୍ବର: ନୂଆବର୍ଷ ଅର୍ଥାତ ୨୦୨୪ ଜାନୁଆରି ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ (ଭିଏଲଟିଡି) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଜାନୁଆରି ପହିଲାରୁ ନୂଆ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ ଲାଗିବ। ସେହିପରି ୨୦୨୪ ଜୁନ୍ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭିଏଲ୍‌‌ଟିଡି ଲାଗିବ ।

ଯାନ ଅବସ୍ଥାନ ଟ୍ରାକିଂ ଡିଭାଇସ (ଏଆଇଏସ-୧୪୦) ପାଇଁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ରେ ଅବସ୍ଥିତ ୨୪X୭ ଇଣ୍ଟ୍ରିଗ୍ରେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଜରୁରୀକାଳୀନ ଆଲର୍ଟ ସୃଷ୍ଟି କରିବା ପାଇଁ ଉଭୟ ଗ୍ଲୋବାଲ ପୋଜିସନ ସିଷ୍ଟମ ଆଧାରିତ ଯାନ ଟ୍ରାକିଂ ଏବଂ ଜିଏସ୍‌ଏମ୍‌/ଜିପିଆରଏ ଚ୍ୟାନେଲ ବ୍ୟବହାର କରାଯିବ।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଭିଏଲଟିଡି ଲଗାଇବା ନିମନ୍ତେ  ଡିସେମ୍ବର ୩୧ସୁଦ୍ଧା ପଞ୍ଜିକୃତ ହୋଇଥିବା ଗାଡି ଗୁଡିକ ପାଇଁ ତାରିଖ କୋହଳ କରାଯାଇଛି। ଏହି ଗାଡ଼ି ଗୁଡିକରେ ୨୦୨୪ ଜୁନ୍‌ ୩୦ସୁଦ୍ଧା ଭିଏଲଡିଟି ଲଗାଇବାକୁ ପଡିବ। କିନ୍ତୁ ୨୦୨୪ରୁ ପଞ୍ଜୀକରଣ ହେବାର ଥିଲେ ନିୟମ କୋହଳ ହେବନି। ଭିଏଲଟିଡି ଲାଗିଛି ନା ନାହିଁ ପଞ୍ଜୀକରଣ ସମୟରେ ଯାଞ୍ଚ ହେବ। ରାଜ୍ୟରେ ଭିଏଲ୍‌‌ଟିଡି ପ୍ରକଳ୍ପ ପରିଚାଳନା ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଏକ କମାଣ୍ଡ ସେଣ୍ଟର କରାଯାଇଛି।  ଭିଏଲ୍‌‌ଟିଡି କାର୍ଯ୍ୟକାରୀ କରିବା ନିମନ୍ତେ ବିଏସ୍‌‌ଏନ୍‌‌ଏଲ୍‌‌ ଏକ ସଫ୍ଟୱେର ପ୍ରସ୍ତୁତ କରିଛି।

ଦେଶର ଚାରିଟି ରାଜ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେଇଥିବା ବେଳେ ସେଥିରେ ଓଡ଼ିଶା ହେଉଛି ଅନ୍ୟତମ ରାଜ୍ୟ। ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଆପ୍‌‌ ଓ ସଫ୍ଟୱେର ପ୍ରସ୍ତୁତ କରିବା ଲାଗି ରାଜ୍ୟ ପରିବହନ ବିଭାଗ ଏବଂ ବିଏସ୍‌‌ଏନ୍‌‌ଏଲ୍‌‌ ମଧ୍ୟରେ ୨୦୨୨, ଅକ୍ଟୋବର ମାସରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଯୋଜନା ଅନୁସାରେ କମାଣ୍ଡ ସେଣ୍ଟର ଭିଏଲ୍‌‌ଟିଡି ଲାଗିଥିବା ପ୍ରତ୍ୟେକ ଗାଡ଼ିର ଗତିବିଧି ଉପରେ ନଜର ରଖିପାରିବ।ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌‌) ମ୍ୟାପ୍‌‌ରେ ଯେ କୌଣସି ଗାଡ଼ିର ଅବସ୍ଥିତି ଜାଣିହେବ।

ସେହିପରି ଯାତ୍ରୀବାହୀ ଗାଡ଼ିରେ ଲାଗିଥିବା ପାନିକ୍‌‌ ବଟନ୍‌‌କୁ ଜରୁରୀ ସ୍ଥିତିରେ କୌଣସି ଯାତ୍ରୀ ଟିପିଲେ କମାଣ୍ଡ ସେଣ୍ଟରରେ ଆଲାର୍ମ ବାଜିବ। ଫଳରେ କମାଣ୍ଡ ସେଣ୍ଟରରୁ ଗାଡ଼ିର ଅବସ୍ଥିତି ଥିବା ସମ୍ପୃକ୍ତ ଜିଲ୍ଲାର ଏସ୍‌‌ପି ଏବଂ ନିକଟସ୍ଥ ଥାନାକୁ ସହାୟତା ପାଇଁ ସୂଚନା ପହଞ୍ଚିବ। ସୂଚନା ପାଇବା ପରେ ସହାୟତା ତଥା ଉଦ୍ଧାର ପାଇଁ ପୁଲିସ ଏବଂ ଅନ୍ୟ ବଳ କମ୍‌‌ ସମୟ ଭିତରେ ପହଞ୍ଚି ପାରିବେ। ଗାଡ଼ି ଭିତରେ ଅସଦାଚରଣ, ଚୋରି ଅବା କୌଣସି ଅପ୍ରତିକିର ପରିସ୍ଥିତି ହେଉ, ଦୁର୍ଘଟଣା ହେଉ ସବୁ ସମୟରେ ପାନିକ୍‌‌ ବଟନ୍‌‌ ଯାତ୍ରୀମାନଙ୍କ ପାଇଁ ବରଦାନ ସାଜିବ। ଅପରାଧ ଉପରେ ଅଙ୍କୁଶ ଲାଗିବ, ଦୁର୍ଘଟଣାରେ ଜୀବନ ରକ୍ଷା ସମ୍ଭବ ହେବ। ସେହିପରି ମାଲବାହୀ ଗାଡ଼ି କୌଣସି ଅନିୟମିତତାରେ ଜଡିତ ଥିଲେ ସେମାନଙ୍କୁ ଧରିବା ସମ୍ଭବ ହେବ। ବିଶେଷକରି ବେଆଇନ୍‌‌ ପରିବହନ ଉପରେ ଅଙ୍କୁଶ ଲାଗିବ। ଗାଡ଼ି ଚୋରି ହେଲେ ମଧ୍ୟ ତାକୁ ଠାବ କରିବା ସହଜ ହେବ।