ଉଦଘାଟିତ ହେଲା ଶ୍ରୀ ଜଗନ୍ନାଥ କଥା ଗୁରୁକୂଳମ୍ ସମ୍ମିଳନୀ

ଆୟୋଜିତ ହେଲା 'ଶ୍ରୀଜଗନ୍ନାଥ କଥା ଗୁରୁକୂଳମ୍- ୪୭ତମ ଚାରଣ ସମ୍ମିଳନୀ'

ଉଦଘାଟିତ ହେଲା ଶ୍ରୀ ଜଗନ୍ନାଥ କଥା ଗୁରୁକୂଳମ୍ ସମ୍ମିଳନୀ

ପୁରୀ, ଡୁଡୁୱଲା ଧର୍ମଶାଳା ପରିସରରେ ବରିଷ୍ଠ ଦଇତାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଦ୍ଵାରା ଉପଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ 'ଶ୍ରୀଜଗନ୍ନାଥ କଥା ଗୁରୁକୂଳମ୍- ୪୭ତମ ଚାରଣ ସମ୍ମିଳନୀ' ଉଦ୍ଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ଚାରଣ ମାନଙ୍କୁ ଅପରାହ୍ନ ୨ ଘଟିକା ସମୟରେ ସ୍ୱାଗତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ସମୁହ ବିଷ୍ଣୁ ସହସ୍ରନାମ, ପଞ୍ଚଦଶ ଅଧ୍ୟାୟ ଶ୍ରୀମଦ୍ ଭଗବତ ଗୀତା, ହନୁମାନ ଚାଳିଶା ପାଠ କରାଯାଇଥିଲା। ଉଦ୍ଘାଟନ ଉତ୍ସବରେ ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ସନ୍ଥ ରାମକୃଷ୍ଣ ଦାସ ମହାରାଜ, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର , କୃଷ୍ଣ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ସେବାୟତ ଗୋପାଳ ଖୁଣ୍ଟିଆ, ଡ଼ଃ ଶରତ ମହାନ୍ତି ଏବଂ ପଣ୍ଡିତ ପଦ୍ମନାଭ ତ୍ରୀପାଠୀ ଶର୍ମା ମହାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ। ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସାଂସ୍କୃତିକ ସଂପାଦକ ଡଃ ଶୁଭେନ୍ଦୁ ସ୍ୱାଇଁ ସଭାକାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ଚାରଣ ପଣ୍ଡିତ ଗଣେଶ୍ୱର ପରିଡ଼ା, ବଂଶୀଧର ପରିଡ଼ା,ବିଦ୍ୟାଧର ପୃଷ୍ଟି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଡ଼ଃ ଶରତ ଚନ୍ଦ୍ର ପାତ୍ର ସମସ୍ତ ଚାରଣ ମାନଙ୍କୁ ଶୃଙ୍ଖଳା ଓ ଆଚରଣ ପୂର୍ଣ୍ଣ ଜୀବନ ଯାପନ ପାଇଁ ନିବେଦନ କରିଥିଲେ। ପଣ୍ଡିତ ସଦାଶିବ ରଥଶର୍ମାଙ୍କୁ ଶ୍ରଦ୍ଧା ସମ୍ମାନ ଜଣାଇବା ସହିତ ଚାରଣଗୋଷ୍ଠୀକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବାରୁ ବରିଷ୍ଠ ଚାରଣମାନେ ତାଙ୍କ ଗୁଣଗାନ କରିଥିଲେ। ସେହିପରି ସର୍ବ ସ୍ୱରୁପରେ ଶ୍ରୀ ଜଗନ୍ନାଥ ବିଷୟ ପଣ୍ଡିତ ପଦ୍ମନାଭ ତ୍ରୀପାଠୀ ଶର୍ମା କହିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଚୂନରା ସେବା ବିଷୟରେ ଡଃ ଶରତ ମହାନ୍ତି ଆଲୋଚନା କରିଥିଲେ। ଜୟ ଜଗନ୍ନାଥ ଟିଭିର ଉପସ୍ଥାପକ ଶେଷଦେବ ସାହୁ ମହାପ୍ରଭୁଙ୍କ ଲୀଳା ବିଷୟରେ ଆଲୋଚନା କରିଥିଲେ।ଇତ୍ୟବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରୀ ଜଗନ୍ନାଥ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମାଜ ସେବା କ୍ଷେତ୍ର ରେ ଶ୍ରୀ କେ. ଜେ. ପଟେଲ, ନିର୍ଦେଶକ ଇଫିକୋ, ପାରାଦୀପ,ଶିକ୍ଷା କ୍ଷେତ୍ରରେ ଡ଼ଃ ପ୍ରଭୁ ଚରଣ ମହାନ୍ତି, ଡଃ ସୁନୀଲ ଧଳ, ଚିକିତ୍ସା କ୍ଷେତ୍ରରେ ଡ଼ଃ ସରୋଜ ଜେନା, ଡ଼ଃ ଔଜଲ୍ୟ ଜେନା, ଡଃ ହରମୋହନ ବାରିକ, ଡଃ ଜ୍ୟୋତିର୍ମୟ ନାୟକ, ସମାଜସେବା କ୍ଷେତ୍ରରେ କୋଦଣ୍ଡ ଭୂୟାଁ, ସମୀର ପରିଜା, ଆଦିଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ଚାରଣ ମାନଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଦିବ୍ୟ ଲୀଳା କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ କଥା ଗୁରୁକୂଳମ୍ -ଚାରଣସମ୍ମିଳନୀ ମହାସମାରୋହରେ ପାଳିତ ହୋଇଥିଲା।ବିଶ୍ୱ କଲ୍ୟାଣ ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ । ଉପସ୍ଥିତ ସମସ୍ତ ଭକ୍ତ ମାନଙ୍କୁ ମହାପ୍ରସାଦ ସେବା ପ୍ରଦାନ କରାଯାଇଥିଲା।