ଶିମିଳିପାଳର 'କଳାବାଘ': ସଫାରି ପାଇଁ ନକ୍ସା ପ୍ରସ୍ତୁତ

ପୂର୍ବ ସରକାରଙ୍କ ସମୟରେ ମୟୂରଭଞ୍ଜରେ କଳା ବାଘ ସଫାରି ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଥିଲା।

ଶିମିଳିପାଳର 'କଳାବାଘ': ସଫାରି ପାଇଁ ନକ୍ସା ପ୍ରସ୍ତୁତ

ପୂର୍ବରୁ ମହାବଳ ବାଘକୁ ନେଇ ଶିମିଳିପାଳର ଢେର୍ ପ୍ରସିଦ୍ଧି ଥିଲା। ବାଘୁଣୀ 'ଖଇରୀ'ର କାହାଣୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଗତ କିଛିବର୍ଷ ମଧ୍ୟରେ ଏହି ଅଭୟାରଣ୍ୟର ଇତିହାସରେ ଯୋଡ଼ି ହୋଇଯାଇଛି 'କଳାବାଘ'ର ନୂଆ ଅଧ୍ୟାୟ। ସାରା ବିଶ୍ବର ହାତଗଣତି କିଛି ଦେଶରେ ଏହି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳୁଥିବା ବେଳେ ଭାରତରେ ଶିମିଳିପାଳ ହେଉଛି ଏହି ବାଘଙ୍କ ଏକମାତ୍ର ଠିକଣା।

୨୦୨୨ ଜାତୀୟ ବାଘ ଗଣନା ରିପୋର୍ଟ ଅନୁଯାୟୀ, ଏବେ ଶିମିଳିପାଳରେ ପ୍ରାୟ ୧୦ଟି କଳା ବାଘ ଅଛନ୍ତି। ଏହି କଳାବାଘ ‘ମେଲାନିଷ୍ଟିକ’ ପ୍ରଜାତିର। ପ୍ରଥମ ଥର ପାଇଁ ୨୦୦୭ ମସିହାରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଳା ମହାବଳ ବାଘର ଚିତ୍ର କଏଦ୍ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବାଘର ରଙ୍ଗ ଉପରେ ଅନେକ ଗବେଷଣା ହୋଇଥିଲା। ସେଥିରୁ ଜଣାପଡ଼ିଛି ଯେ, ଜେନେଟିକ୍ ପରିବର୍ତ୍ତନ ପାଇଁ ଶିମିଳିପାଳର ମହାବଳ ବାଘଙ୍କ ରଙ୍ଗ କ୍ରମଶଃ କଳା ହେବାରେ ଲାଗିଛି। ମହାବଳ ବାଘ ନିଜ ବର୍ଗର ବାଘଙ୍କ ପରିଧି ବାହାରକୁ ଯାଇ ପ୍ରଜନନ କରିବା ଦ୍ୱାରା ଏଭଳି ଜନ୍ମ ସମ୍ବନ୍ଧୀୟ ଅସାମଞ୍ଜସ୍ୟତା ଦେଖାଦେଇଛି। ଏହି ମ୍ୟୁଟେସନ୍ କାରଣରୁ ଏବେ ଅଧିକ କଳାରଙ୍ଗର ବାଘ ଏଠାରେ ଦେଖାଯାଉଛନ୍ତି ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

ପୂର୍ବ ସରକାରଙ୍କ ସମୟରେ ମୟୂରଭଞ୍ଜରେ କଳା ବାଘ ସଫାରି ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଥିଲା। ଏବେ ଏହାର ସଫଳ ରୂପାୟନ ପାଇଁ ଉଦ୍ୟମ ଚାଲିଛି। ଏଥି ପାଇଁ ବାରିପଦା ସହର ଉପକଣ୍ଠର ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ୨୦୦ ହେକ୍ଟର ଅଞ୍ଚଳ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧୦୦ ହେକ୍ଟର ଅଞ୍ଚଳରେ ବାଘଙ୍କୁ ରଖାଯିବ ଓ ବାକି ଅଞ୍ଚଳକୁ ପ୍ରାଣୀ ଚିକିତ୍ସା ସୁବିଧା କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଯେଉଁଥିରେ ଉଦ୍ଧାର କେନ୍ଦ୍ର, କର୍ମଚାରୀଙ୍କ ଭିତ୍ତିଭୂମି ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ୧୫ କିଲୋମିଟର ଦୂରରେ ଏହି ସଫାରି ରହିବ। ଏଠାରେ ଖୋଲା ଏନ୍କ୍ଲୋଜର୍ ମଧ୍ୟରେ ବାଘଗୁଡ଼ିକୁ ରଖାଯିବ।

ପ୍ରାରମ୍ଭିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି କଳା ଓ ଧଳାବାଘଙ୍କୁ ସେଠାକୁ ନିଆଯିବ। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସୁଥିବା ବାଘଙ୍କୁ ଏଠାକୁ ଅଣାଯିବ। ଫଳରେ ଦେଶ ବିଦେଶର ପର୍ଯ୍ୟଟକ, ଏହି ବିରଳ ପ୍ରଜାତିର ବାଘ ଦେଖିବାର ସୁଯୋଗ ପାଇବେ। ବିଶ୍ବରେ ପ୍ରଥମକରି ଏହି ସଫାରି ପ୍ରତିଷ୍ଠା ହେବାକୁ ଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆର୍ସିସିଏଫ୍ ଡ. ସମ୍ରାଟ ଗୌଡ଼ା କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ ଟ୍ରାପ୍ କ୍ୟାମେରାରେ ଏଠାରେ କଳା ରଙ୍ଗର ଏକାଧିକ ବାଘ ଦେଖିବାକୁ ମିଳିଥିଲେ। ସାରାଦେଶରେ ଶିମିଳିପାଳ ଏକମାତ୍ର ଜଙ୍ଗଲ ଯେଉଁଠାରେ ୧୦ରୁ ଅଧିକ କଳା ବାଘ ରହିଛନ୍ତି ବୋଲି ସ୍ପଷ୍ଟ ହୋଇସାରିଛି। ଏବେ ସେମାନଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଏଆଇ୍ କ୍ୟାମେରା ଲଗାଇବାକୁ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।