ନିଯୁକ୍ତ ହେଲେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଓ ଅତିରିକ୍ତ ସଚିବ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନୁପମ ଶାହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୨୦୧୧ ବ୍ୟାଚ୍ ଆଇଏଏସ ତଥା କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅରିନ୍ଦମଙ୍କ ଘର ଭଞ୍ଜନଗର ଅଂଚଳରେ ହୋଇଥିବାବେଳେ ଅନୁପମଙ୍କ ଘର କଳାହାଣ୍ଡି ଜିଲ୍ଲାରେ। ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦେଶକ ପାହ୍ୟାର ଏହି ଦୁଇ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ନିର୍ବାଚନ କମିଶନ ନିଯୁକ୍ତି ଦେଇଥିଲେ।
ଶ୍ରୀ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଳ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀ ଡାକୁଆ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିପରି ଶ୍ରୀ ଶାହ ୨୦୧୪ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଓଡ଼ିଶାରେ କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀ ଶାହା କୋରାପୁଟ ଓ ଗଜପତି ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।