ବନ୍ଧା ହେଲେ ୫ ଅଭିଯୁକ୍ତ, ବ୍ୟବହୃତ ୨ଟି ୪ଚକିଆ ଯାନ ସହ ନଗଦ ଟଙ୍କା ଜବତ୍
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଚୋରା କୋଇଲା କାରବାର ରେ ପାରାଦୀପ ପୋଲିସ୍ କୁ ଏକ ବଡଧରଣର ସଫଳତା ମିଳିଛି

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଚୋରା କୋଇଲା କାରବାର ରେ ପାରାଦୀପ ପୋଲିସ୍ କୁ ଏକ ବଡଧରଣର ସଫଳତା ମିଳିଛି । ଦୀର୍ଘ ୪୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଫଳରେ ଏହି ଚୋରା କୋଇଲା କାରବାର ର ପର୍ଦ୍ଧାଫାଶ କରିବାକୁ ପୋଲିସ୍ ସକ୍ଷମ ହୋଇଛି । ଏନେଇ ପାରାଦୀପ ଆଦର୍ଶ ଥାନା ର ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ରମେଶ ସାହାଣୀ ତଦନ୍ତ କରି ଏହି କଳା କାରନାମା ର ବହୁତ ତଥ୍ୟ ହାସଲ କରିଛନ୍ତି। ସବ୍ ଇନ୍ସପେକ୍ଟରଙ୍କ ସୁଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ବରଦା ବେହେରା ଓ ଗଲିବ୍ ହସିମ୍ ଏ ଦୁହେଁ ଏକ ମିଳିତ ଭାବେ ଷଡ଼ଯନ୍ତ୍ର କରି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ମୁଲ୍ୟବାନ୍ ଆମଦାନୀ କୋଇଲା ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଏଥିରେ ସେ ଆହୁରି ଅନ୍ୟ ତିନିଜଣଙ୍କୁ ସହଯୋଗୀ ଭାବେ ମଧ୍ୟ ନିୟୋଜିତ କରିଥିଲେ । କିନ୍ତୁ ବିନା କାଗଜ ପତ୍ର ରେ OD-04-Q-7363 ନମ୍ବର ଥିବା ଏକ ବାହାର ଗାଡ଼ି କୁ ଯେତେ ବେଳେ ସ୍ଥାନୀୟ ଗାଡ଼ି ମାଲିକ ଗୋଡ଼ାଇ କି ଧରିଥିଲେ ସେଥିରେ ଚୋରୀ ଉଦ୍ୟମ ସମ୍ପୁର୍ଣ୍ଣ ଫେଲ୍ ମାରିଥିଲା ।
ତେବେ ଉକ୍ତ ଚୋରା ଚାଲାଣ ଗାଡ଼ି କୁ ପାରାଦୀପ ଥାନା କୁ ହସ୍ତାନ୍ତର ପରେ ପୋଲିସ ପକ୍ଷରୁ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଟିକିନିଖି ତଦନ୍ତ ଆରମ୍ଭ ହୋଇଥିଲା ଏନେଇ ଖବର ପାଇ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ପିଆର୍ ରାହୁଲ ଆସି ଘଟଣା କ୍ରମ କୁ ଅନୁଧ୍ୟାନ କରିଥିଲେ । ଏଥି ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଆଧାର କରି ପାରାଦୀପ ଡିଏସପି ସନ୍ତୋଷ ଜେନା ଏକ ସ୍ବତନ୍ତ୍ର ଟିମ୍ ଗଢି ରାଜ୍ୟର ବିଭନ୍ନ ଅଞ୍ଚଳ କୁ ପଠାଇଥିଲେ । ଯେଉଁଥିରେ ଶେଷରେ ପୋଲିସ୍ କୁ ବଡ଼ ଧରଣର ସଫଳତା ମିଳିଥିଲା ।
ତେବେ ସବ୍ ଇନ୍ସପେକ୍ଟର ରଶ୍ମି ରଞ୍ଜନ ସାହୁ ଙ୍କ ଅଭିଯୋଗ କ୍ରମେ ଏହି ଘଟଣା କ୍ରମରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଜେରା ପରେ ପାରାଦୀପ ଆଦର୍ଶ ଥାନା ର ଭାରାପ୍ରାପ୍ତ ଅଧିକାରୀ ସୁଚିତ୍ର ବିର୍ଜ୍ୟ ଦାସ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୋଟ୍ ୫ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ଅଞ୍ଚଳର କମଲ୍ ସେଖ୍ , ଯାଜପୁର ଅଞ୍ଚଳର ଗାଲିବ୍ ହାସମି , କେନ୍ଦ୍ରାପଡା ଅଞ୍ଚଳର ବରଦା ବେହେରା, ପୁଣି ଏକ ଯାଜପୁର ଅଞ୍ଚଳର ରାକେଶ କୁମାର ପଣ୍ଡା , ଏବଂ କଟକ ଅଞ୍ଚଳର ଶୁଭ୍ରାଂଶୁ ଶେଖର ମହାନ୍ତି ଓରଫ୍ ଗଣେଶ । ତେବେ ଏହି ୫ଜଣ ଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ସେମାନେ ବ୍ୟବହୃତ କରିଥିବା ୨ଟି ନାମିଦାମୀ ୪ଚକିଆ ଯାନ ମଧ୍ୟ ଜବତ କରାଯାଇଛି ।
ସେ ଗାଡ଼ି ଗୁଡ଼ିକ ହେଲା ଗୋଟିଏ କ୍ରେଟା ଯାହାର ନମ୍ବର OD-04-U-2777 ଏବଂ ଅନ୍ୟଟି ମାରୁତି ସ୍ବିଫ୍ଟ୍ ଡିଜାଏର୍ ଯାହାର ନମ୍ବର OD-01-U-6817 . ବୋଲି ଜଣାପଡିଛି । ଏଥି ସହ ନଗଦ ୧ଲକ୍ଷ ୯୮ ହଜାର ୫ଶହ ଟଙ୍କା ଓ ୭ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ତେବେ ଏତିକିରେ ତଦନ୍ତ ସରିନାହିଁ ଏହାର ଚେରର ସାରା ଓଡ଼ିଶା ସମେତ ବାହାର ରାଜ୍ୟକୁ ମଧ୍ୟ ଲମ୍ବିଛି ବୋଲି ଜଣାପଡିଛି । ତେବେ ପର୍ଯ୍ୟାୟ କ୍ରମେ ଏହା ତଦନ୍ତ କରାଯାଇ ଅନ୍ୟ ଅଭିଯୁକ୍ତ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପାରାଦୀପ ଆଦର୍ଶ ଥାନା ଦକ୍ଷ ଅଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ୍ ଦୃଢ଼ତାର ସହ କହିଛନ୍ତି ।