ଇଣ୍ଡିଆ କେମ୍ ରେ ଚମକିଲା ପିପିଏଲ୍
ଇଣ୍ଡିଆ କେମ୍ ମୁମ୍ବାଇ ପ୍ରଦର୍ଶନୀରେ ପାରାଦୀପ ଫସ୍ଫେଟସ୍ ଲିମିଟେଡ୍(ପିପିଏଲ୍) ଷ୍ଟଲ

ମୁମ୍ବାଇ, ୧୮।୧୦: ସ୍ଥାନୀୟ ମୁମ୍ବାଇ ଏକ୍ଜିବିସନ ସେଣ୍ଟରରେ ଆୟୋଜିତ ହେଇଛି ଇଣ୍ଡିଆ କେମ୍, ୨୦୨୪ । କେମିକାଲ ଓ ପେଟ୍ରୋ କେମିକାଲ ଶିଳ୍ପଗୁଡିକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ।
ଏଥିରେ ଓଡ଼ିଶାର ପାରାଦୀପସ୍ଥିତ ପାରାଦୀପ ଫସ୍ଫେଟସ୍ ଲିମିଟେଡ୍(ପିପିଏଲ୍) ଅଂଶଗ୍ରହଣ କରିଛି । ଇଣ୍ଡିଆ କେମ୍ରେ ସ୍ଥାନ ପାଇଥିବା ପିପିଏଲ୍ ଷ୍ଟଲକୁ ଭାରତ ସରକାରଙ୍କ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ୍ ଗତ ୧୭ ତାରିଖରେ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ପିପିଏଲ୍ ମୁଖ୍ୟ ବିତ୍ତୀୟ ଅଧୂକାରୀ ବିଜୟ କୁମାର ବିଶ୍ଵାଳ, କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧୁ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହା ଇଣ୍ଡିଆ କେମ୍ବର ତ୍ରୟୋଦଶ ସଂସ୍କରଣ ଏବଂ ପ୍ରତି ଦୁଇବର୍ଷରେ ଏହି ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ ଆୟୋଜିତ ହେଉଛି ।
ସୂଚନାଯୋଗ୍ୟ ଯେ, ପିପିଏଲ୍ ଓଡ଼ିଶାର ଏକମାତ୍ର ସଂସ୍ଥା ଭାବରେ ଏହି ଆନ୍ତର୍ଜାତିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ଵାଇଁ ଯୋଗ ଦେଇଥିଲେ ।
ଭାରତ ସରକାରଙ୍କ ରସାୟନ ଓ ପେଟ୍ରୋ ରସାୟନ ବିଭାଗ, ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଫିକି ସହିତ ମିଳିତ ଭାବରେ ଇଣ୍ଡିଆ କେମ୍ ୨୦୨୪ ଚଳିତ ଅକ୍ଟୋବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହା ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ବବୃହତ ପୂର୍ଣାଙ୍ଗ କାର୍ଯ୍ୟକ୍ରମ ଏବଂ ଏଥରେ ଆନ୍ତର୍ଜାତିକ ସମ୍ମିଳନୀ ସହିତ ପ୍ରଦର୍ଶନୀ ସ୍ଥାନ ପାଇଛି । ଇଣ୍ଡିଆ କେମ୍ ୨୦୨୪ରେ ଏହି କ୍ଷେତ୍ରର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିମନ୍ତେ ବିପୁଳ ସମ୍ଭାବନା ତଥା ସହାୟକ ସରକାରୀ ନୀତି ସମୂହ ପ୍ରଦର୍ଶିତ ହେଉଛି । ଏହା ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ନିବେଶକ ଏବଂ ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ପରସ୍ପର ମଧ୍ୟରେ ମେଣ୍ଟ ଗଠନ ଏବଂ ତଦ୍ବାରା ବାଣିଜ୍ୟ ଓ ପୁଞ୍ଜିନିବେଶ ନିମନ୍ତେ ବିପୁଳ ସମ୍ଭାବନା ଯୋଗାଇଦେବାକୁ ସହାୟକ ହେଉଛି ।
ସମ୍ମିଳନୀ ଅବସରରେ ବୈଶ୍ଵକ ସିଇଓ ମାନଙ୍କର ରାଉଣ୍ଡ ଟେବଲ ବୈଠକ ସହିତ ବିଭିନ୍ନ ଶିଳ୍ପ ଯଥା ରସାୟନ, ପେଟ୍ରୋରସାୟନ, କୃଷି ରସାୟନ ଶିଳ୍ପ, ପ୍ରକ୍ରିୟାକରଣ ଓ ଯନ୍ତ୍ରପାତି ଆଦି ଉପରେ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏସବୁ ସହିତ ଭାରତ ଏବଂ ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ରହିଛି |