ବିହାର ରାଜଧାନୀ ପାଟନାକୁ ପୁଣି ଥରେ ବୁଡ଼େଇଲା ଗଙ୍ଗା
ପାଟନା ଓ ମୁଙ୍ଗେର ଭଳି ସହରର ଅନେକ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି।

ବିହାରରେ ଗଙ୍ଗା ନଦୀ ତାର ରୌଦ୍ର ରୂପ ପୁଣି ଥରେ ଦେଖାଇଛି। ଫଳରେ ଅନେକ ସହର ଓ ଗାଁ ଜଳମଗ୍ନ ହୋଇଛି। ୫ ବର୍ଷ ପରେ ଗଙ୍ଗା ଜଳସ୍ତରରେ ପୁଣି ବୃଦ୍ଧି ହୋଇଥିବା ବେଳା ରାଜଧାନୀ ପାଟନା ମଧ୍ୟ ଜଳମଗ୍ନ ହୋଇଛି। ନଦୀର ଜଳସ୍ତର ବଢିବା ଯୋଗୁ ନଈକୂଳରେ ରହୁଥିବା ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଗଙ୍ଗା ପ୍ରକୋପ ଯୋଗୁ ପାଟନା ଜିଲ୍ଲାର ପାଖାପାଖି ୧୨ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ପାଟନା ଓ ମୁଙ୍ଗେର ଭଳି ସହରର ଅନେକ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି।
ଗଙ୍ଗା ପାଣି ବନ୍ଧ ଭାଙ୍ଗି ଜାତୀୟ ରାଜମାର୍ଗରେ ବହୁଛି। ଫୁଟେ ଉଚ୍ଚର ପାଣି ରାସ୍ତାରେ ଚାଲୁଥିବାରୁ ଗାଡିମାନଙ୍କ ବେଗ ଧିମେଇ ଯାଇଛି। ରାମନଗର ଓ ଦିଆରା ଗାଁରେ ପାଣି ପଶିବା ଯୋଗୁ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଜୁଆଡେ ଅନେଇଲେ ଖାଲି ପାଣି ହିଁ ପାଣି ଦେଖାଯାଉଛି। ଗତ ୧୨ ଘଣ୍ଟାରେ ଗଙ୍ଗା ଜଳସ୍ତରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ଲୋକେ ଘରେ ପାଣି ପଶିବା ଯୋଗୁ ଉଚ୍ଚସ୍ଥାନକୁ ପଲାୟନ କରୁଛନ୍ତି।
ବନ୍ୟା ପୀଡ଼ିତ ଲୋକେ ଏବେ ପାଣି କମିବା ପାଇଁ ଗଙ୍ଗାକୁ ଚାହିଁ ରହିଛନ୍ତି। ନଦୀର ଜଳସ୍ତର ହ୍ରାସ ହେଲେ ଲୋକେ ସେମାନଙ୍କ ଘରକୁ ଫେରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟରରେ ବୁଲି ଦେଖିଥିଲେ ଓ ଅଧିକାରୀମାନଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବକ୍ତିଆରପୁର ମହକମା ଦିଆରା ଅଞ୍ଚଳର ୧୨ରୁ ଅଧିକ ଗ୍ରାମ ଏବେ ଜଳମଗ୍ନ ହୋଇଯାଇଥିଲେ ହେଁ ଗ୍ରାମବାସୀଙ୍କ ପାଖକୁ ପ୍ରଶାସନ ପହଞ୍ଚି ନଥିବା ଜଣାପଡିଛି।