ବଲାଙ୍ଗୀରରେ ଚାଞ୍ଚଲ୍ୟ: ଯୁବକଙ୍କୁ ମାରି ଖଣ୍ଡଖଣ୍ଡ କରିଦେଲେ
ଯୁବକର ମୁଣ୍ଡ, ଗଣ୍ଡି ଅଲଗା କରି ହାଣି ଦିଆଯାଇଛି।

ବଲାଙ୍ଗୀରରେ ଚାଞ୍ଚଲ୍ୟ। ସହରରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ଯୁବକର ମୁଣ୍ଡ, ଗଣ୍ଡି ଅଲଗା କରି ହାଣି ଦିଆଯାଇଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ହୋଇଥିଲା ଉଦ୍ୟମ। ଅଙ୍ଗପ୍ରତ୍ୟଙ୍ଗକୁ କାଟି ପଲିଥିନରେ ଭର୍ତ୍ତି କରାଯାଇଥିଲା। ବନ୍ଦ କୋଠରି ଭିତରେ ଦେଖିବାକୁ ମିଳିଛି ଏଭଳି ଦେହଥରା ଦୃଶ୍ୟ। ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ୧୮ ନଂ. ୱାର୍ଡ ସାଲେପାଲିପଡ଼ାରେ। ମୃତକ ଯୁବକ ଜଣକ ହେଲେ ରିଙ୍କୁ ମେହେର (୨୭ ବର୍ଷ)। ପୁଲିସ ଶବ ନିକଟରୁ ରକ୍ତଲଗା ଟାଙ୍ଗିଆ ସହ ବ୍ଲେଡ୍ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ବଲାଙ୍ଗୀର ସହର ୧୮ ନମ୍ବର ୱାର୍ଡ ସାଲେପାଲି ପଡ଼ାରେ ପ୍ରାୟ ୨୦ ବର୍ଷ ହେବ ଭଡ଼ାଘରେ ରହୁଥିଲେ ମାର୍କଣ୍ଡ ମେହେର। ମାର୍କଣ୍ଡଙ୍କ ଚାରିପୁଅ। ବଡ଼ପୁଅ ବଲାଙ୍ଗୀର ସହରରେ ରହୁଥିବା ବେଳେ ଆଉ ଜଣେ ପୁଅ ସମ୍ବଲପୁରରେ ରହୁଛନ୍ତି। ତୃତୀୟ ଓ ଚତୁର୍ଥ ପୁଅ, ବାପା ମାର୍କଣ୍ଡ ଏବଂ ମା’ଙ୍କ ସହିତ ସାଲେପାଲିର ଭଡ଼ାଘରେ ରହୁଥିଲେ। ମାର୍କଣ୍ଡଙ୍କ ବଡ଼ପୁଅ କହିବା ଅନୁସାରେ, ତୃତୀୟ ପୁଅ ରିଙ୍କୁ (ମୃତକ) ମାନସିକ ରୋଗୀ ଥିଲେ। ସମୟ ସମୟରେ ସେ ପରିବାର ଲୋକଙ୍କୁ ମାରପିଟ କରୁଥିଲେ। ୨୦ ଦିନ ତଳେ ରିଙ୍କୁ ନିଜ ବାପା ମାର୍କଣ୍ଡଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ମାର୍କଣ୍ଡଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୬ ଦିନ ତଳେ ମାର୍କଣ୍ଡ ଡାକ୍ତରଖାନାରୁ ଫେରିଥିଲେ। ତେବେ ପୁଣି ୪ ଦିନ ତଳେ ମାର୍କଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସାନପୁଅ ଓ ତାଙ୍କ ସ୍ତ୍ରୀ ମାର୍କଣ୍ଡଙ୍କୁ ବୁର୍ଲା ନେଇଥିବା ବେଳେ ସାଲେପାଲି ଭଡ଼ାଘରେ ୪ ଦିନ ହେଲା ରିଙ୍କୁ ଏକା ରହୁଥିଲେ।