ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପାଟନା ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ସିଂ । ଗତ ନଭେମ୍ୱର ମାସରେ ସୁପ୍ରିମକୋର୍ଟ କଲେଜିୟମ ଏ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା । ଜଷ୍ଟିସ୍ ସୁଭାଶିଷ ତଳପାତ୍ର ମୁଖ୍ୟ ବିଚାରପତି ଭାବେ ଅବସର ନେବା ପରେ ଜଷ୍ଟିସ ଶରଣ ସିଂ ନାଁ ସୁପାରିଶ କରିଥିଲା କଲେଜିୟମ ।

୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ରୁ  ଜଣେ ଓକିଲ ଭାବେ କାମ ଆରମ୍ଭ କରିଥିଲେ । ତାଙ୍କୁ ୧୯୯୮ରେ କେନ୍ଦ୍ର ସରକାର ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବେ ନିଯୁକ୍ତ କରିଥିଲେ ଏବଂ ସେ ୨୦୦୧ ଯାଏଁ ଏହି ପଦରେ କାମ କରିଥିଲେ । ସେ ମୁଖ୍ୟତଃ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ ଓ ଶ୍ରମ ଆଇନ ଅନ୍ତର୍ଗତରେ ଆସୁଥିବା ଅପରାଧିକ ମାମଲାର ପରିଚାଳନା କରୁଥିଲେ ।

ପରବର୍ତ୍ତୀ ସମୟରେ ସେ ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ ପକ୍ଷରୁ ମାମଲା ପରିଚାଳନା ପାଇଁ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ପ୍ୟାନେଲ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୦ ସେପ୍ଟେମ୍ବର ୮ ତାରିଖରୁ ସେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ ।ତାଙ୍କୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା । ୨୦୧୦ ଡିସେମ୍ବରରୁ ସେ ଅତିରିକ୍ତ ଜଜ୍ ଭାବରେ ପାଟନା ହାଇକୋର୍ଟରେ ୨୦୧୨ ମାର୍ଚ୍ଚ ୫ ଯାଏଁ କାର୍ଯ୍ୟରତ ଥିଲେ ।