୫୨ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ, ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲା ଭାରତ

ମ୍ୟୁନିକ ଅଲିମ୍ପିକ୍ସ ପରେ ପ୍ୟାରିସରେ କଲା କମାଲ, ଶ୍ରୀଜେଶ ଙ୍କୁ ଶ୍ରେଷ୍ଠ ବିଜୟ ର ଟିକା ପିନ୍ଧାଇଲା ଭାରତୀୟ ପୁରୁଷ ହକି ଟିମ୍

୫୨ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ, ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲା ଭାରତ

ପ୍ୟାରିସ: ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ କାଂସ୍ୟ ପଦକ  ଜିତି ଇତିହାସ ରଚିଛି। କାଂସ୍ୟ ପଦକ ମୁକାବିଲାରେ ଭାରତୀୟ ଦଳ ୨-୧ରେ ସ୍ପେନକୁ ମାତ୍ ଦେଇଛି। ହକିରେ ଭାରତର ଏହା   ହେଉଛି ଚତୁର୍ଥ କାଂସ୍ୟ ପଦକ। ଅଲିମ୍ପିକ୍ସ ଇତିହାସରେ ଭାରତ ହକିରେ ସର୍ବାଧିକ ୮ ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛି। ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ କାଂସ୍ୟ ପଦକ ଜିତିଥିଲା। ଏଥିସହ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ୫୨ ବର୍ଷ ପରେ ଇତିହାସ ରଚିଛି। 

ଭାରତୀୟ ହକି ଦଳ ୫୨ ବର୍ଷ ପରେ ଲଗାତାର ୨ଟି ପଦକ ଜିତିଛି। ଏହା ପୂର୍ବରୁ ୧୯୬୦ରୁ ୧୯୭୨ ପର୍ଯ୍ୟନ୍ତ ଭାରତୀୟ ହକି ଦଳ ଲଗାତାର ୪ ପଦକ ଜିତିଥିଲା।  ୧୯୮୦ ପରଠୁ ଭାରତୀୟ ହକି ଦଳ ଅଲିମ୍ପିକ୍ସ ପଦକ ପାଇଁ ସଂଘର୍ଷ କରି ଆସିଥିଲା। ଆଉ ୪୦ ବର୍ଷ ପରେ ପଦକ ମରୁଡ଼ିର ଅନ୍ତ ଘଟିଥିଲା। ଟୋକିଓ ଅଲିମ୍ପିକ୍ସରେ ଦଳ କାଂସ୍ୟ ପଦକ ଜିତିଥିଲା। ଆଉ ଏବେ ହରମନପ୍ରୀତ ସିଂଙ୍କ ନେତୃତ୍ଵରେ ଭାରତୀୟ ଦଳ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ୫୨ ବର୍ଷ ପରେ ଇତିହାସ ରଚିଛି। ୧୯୭୨ ପରେ ଭାରତ ହକି ଦଳ ଲଗାତାର ୨ଟି ପଦକ ଜିତିଛି। ଏହା ପୂର୍ବରୁ ୧୯୬୮ ଓ ୧୯୭୨ରେ ବି ଭାରତ ଲଗାତାର ଦୁଇଟି ପଦକ ଜିତିଥିଲା ଟିମ୍ ଇଣ୍ଡିଆ। 

ସୂଚନାଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏ ପର୍ଯ୍ୟନ୍ତ ୪ଟି ପଦକ ଜିତିଛି। ଏହି ଚାରି ପଦକ କାଂସ୍ୟ ପଦକ ଭାବେ ମିଳିଛି। ପ୍ରଥମେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ଜିତିଥିଲେ। ପୁଣି ମିଶ୍ରିତ ବର୍ଗରେ ସରବଜୋତ ସିଂଙ୍କ ସହ ମିଶି ମନୁ ଦ୍ଵିତୀୟ କାଂସ୍ୟ ଜିତିଥିଲେ। ସ୍ଵପ୍ନିଲ କୁସାଲେ ସୁଟିଂରେ ଦେଶ ପାଇଁ ତୃତୀୟ ଦକ ଜିତିଥିଲେ।

ଶ୍ରୀଜେଶ ଙ୍କୁ ଶ୍ରେଷ୍ଠ ବିଜୟ ର ଟିକା ପିନ୍ଧାଇଲା ଭାରତୀୟ ପୁରୁଷ ହକି ଟିମ୍, ପ୍ୟାରିସ୍ ଅଲିମ୍ପିକ୍ସରେ ଜିତିଲା ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ୍ ପୁଣି ପ୍ୟାରିସରେ ଚମକିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଏକ ଚମତ୍କାର ବିଜୟ ସହ କାଂସ୍ୟ ପଦକ ନିଜ ନାଁରେ କରିଛନ୍ତି । ଗୁରୁବାର ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଏହି କୀର୍ତ୍ତିମାନ ସ୍ଥାପନ କରିଛି । ଭାରତ ପାଇଁ କ୍ୟାପ୍ଟେନ ହରମନପ୍ରୀତ ସିଂହ ଦୁଇଟି ଗୋଲ ଦେବା ସହ ବିଜୟର ନାୟକ ହୋଇଛନ୍ତି । ଭାରତର ଅନ୍ୟତମ ଶ୍ରେଷ୍ଠ ଗୋଲ୍ କିପର ପି.ଆର.ଶ୍ରୀଜେଶଙ୍କୁ ଏହି ବିଜୟ ଭେଟି ଦେଇଛନ୍ତି ସାଥୀ ଖେଳାଳି । 

ଭାରତ ଏବଂ ସ୍ପେନ୍ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚର ପ୍ରଥମ କ୍ୱାର୍ଟର ବିନା କୌଣସି ଗୋଲରେ ବରାବାର ରହିଥିଲା । ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ସୁଖଜିତ୍ ସିଂହ ଏକ ନିଶ୍ଚିତ ସଟ୍‌କୁ ହରାଇଥିଲେ । ପ୍ରଥମ କ୍ୱାର୍ଟରରେ ଭାରତକୁ କିଛି ସୁଯୋଗ ମିଳିଥିଲେ ବି ତାହା ଗୋଲରେ ପରିଣତ ହୋଇ ନଥିଲା । ତେବେ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ୍ ଅଧିକ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା । ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ସ୍ପେନ୍‌କୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା । ସ୍ପେନ୍ ପାଇଁ ମାର୍କ ମିରେଲ୍ସ ଗୋଲ୍ କରିବା ସହ ଟିମକୁ ୧-୦ ଲିଡ୍ ଦେଇଥିଲେ । ଏହାପରେ ୨୦ତମ ଏବଂ ୨୧ତମ ମିନିଟ୍‌ରେ ବି ସ୍ପେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତ ଏହାକୁ ଗୋଲରେ ପରିଣତ ହେବାକୁ ଦେଇ ନଥିଲା । ୨୯ତମ ମିନିଟ୍‌ରେ ଭାରତରୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଅମିତ୍ ରୋହିଦାସ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ । ଦ୍ୱିତୀୟ କ୍ୱାର୍ଟର ଶେଷ କିଛି ସେକେଣ୍ଡ ପୂର୍ବରୁ ଭାରତକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏଥର ହାର୍ଦ୍ଦିକ ସିଂହ ବଲ୍ ଇଞ୍ଜେକ୍ଟ କରିଥିଲେ ଏବଂ ଅଧିନାୟକ ହରମନପ୍ରୀତ ସିଂହ ବଲକୁ ନେଟ୍‌ ପହଞ୍ଚାଇବାରେ ସଫଳ ହୋଇଥିଲେ 

ମ୍ୟାଚର ପ୍ରମଥାର୍ଦ୍ଧରେ ଉଭୟ ଟିମ୍ ୧-୧ରେ ବରାବର ରହିଥିଲେ । ତୃତୀୟ କ୍ୱାର୍ଟରର ତୃତୀୟ ମିନିଟରେ ଭାରତକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । କ୍ୟାପ୍ଟେନ ହରମନପ୍ରୀତ ସିଂହ ଏହାକୁ ଗୋଲରେ ପରିଣତ କରି ଭାରତକୁ ୨-୧ ଲିଡ୍ ଦେଇଥିଲେ । ଏହାପରେ ଉଭୟ ଟିମକୁ ପେନାଲ୍ଟି କର୍ଣ୍ଣରର ଅନେକ ସୁଯୋଗ ମିଳିଥିଲେ ସୁଦ୍ଧା କେହି ଗୋଲ୍ ଦେଇ ପାରି ନଥିଲେ । ମ୍ୟାଚ୍‌ର ଶେଷ ହ୍ୱିସିଲ୍ ବାଜିଲା ବେଳକୁ ଭାରତ ୨ ଏବଂ ସ୍ପେନ୍ ୧ ଗୋଲରେ ରହିଥିଲେ । ଏହି ବିଜୟ ସହ ଭାରତ ଲଗାତାର ଦୁଇଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ହୋଇଛି ।