୫ ହଜାର ବସ୍ତା ନକଲି ସାର ଜବତ, ଗୋଦାମ ସିଲ୍

ଏକ ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କରାଯାଇ ୫ ହଜାର ବସ୍ତା ନକଲି ସାର ଜବତ କରାଯାଇଛି।

୫ ହଜାର ବସ୍ତା ନକଲି ସାର ଜବତ, ଗୋଦାମ ସିଲ୍

ବରପାଲି: କିଛି ଦିନ ପୂର୍ବରୁ ବରପାଲି ଅଞ୍ଚଳରେ ଏକ ନକଲି ସାର ପ୍ରସ୍ତୁତ କାରଖାନା ଉପରେ ଚଢ଼ଉ କରାଯାଇଥିଲା। ଆଜି ପୁଣି ଅନ୍ୟ ଏକ ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କରାଯାଇ ୫ ହଜାର ବସ୍ତା ନକଲି ସାର ଜବତ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ବରପାଲି ବ୍ଲକ ଅନ୍ତର୍ଗତ ଅମାମୁଣ୍ଡାଠାରେ ଥିବା ଗୋଦାମ ଉପରେ ତହସିଲଦାର ଋକ୍ମଣ ମେହେର, ବରଗଡ଼ ଫର୍ଟିଲାଇଜର ଇନ୍ସପେକ୍ଟର ଇତିସ୍ମିତା ଦେବତା, ବ୍ଲକ କୃଷି ଅଧିକାରୀ ଦିଲ୍ଲୀପ ମାଝୀ, ଆଇଆଇସି ଜୟରଶ୍ମୀ ସେଠୀ ସଦଳବଳେ ଚଢ଼ଉ କରି ଗୋଦାମ ଘରେ ଗଚ୍ଛିତ ଥିବା ୟୁରିଆ, ଗ୍ରୋମୋର, ପଟାଶ ଆଦି ପ୍ରାୟ ୫ ହଜାର ବସ୍ତା ସାର ସହ ବିଭିନ୍ନ ଔଷଧ ଜବତ କରିଥିଲେ।

ଏଥିସହ ସେଠାରୁ ଲୋଡ୍‌ ହୋଇ ବାହାରିଥିବା ଏକ ମିନି ଟ୍ରକ୍‌ (ଓଆର୦୩-୧୩୨୪)କୁ ମଧ୍ୟ ଜବତ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ସବୁତକ ସାର ଏକ୍ସପାଏରୀ ହୋଇଯାଇଛି। ଏମିତିକି ୨୦୧୯ରେ ତିଆରି ହୋଇଥିବା ସାର ବି ଅଛି। ଗୋଦାମ ମାଲିକ ଡୁଙ୍ଗୁରିପାଲି ଗ୍ରାମର ରାଧାକୃଷ୍ଣ ଅଗ୍ରୋର ପ୍ରୋପ୍ରାଇଟର ରଞ୍ଜନ ଦାଶ କେଉଁ ଉଦ୍ଦେଶ୍ୟରେ ପୁରୁଣା ସାର ଏତେ ପରିମାଣରେ ଗଚ୍ଛିତ ରଖିଥିଲେ ଓ ଅମାମୁଣ୍ଡା ଭଳି ଦୁର୍ଗମ ଅଞ୍ଚଳରେ ଏପରି ଏକ ବିରାଟ ଗୋଦାମ କରିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଗୋଦାମଟି ତାଙ୍କ ସ୍ତ୍ରୀ ମଞ୍ଜୁଶ୍ରୀ ଦାଶଙ୍କ ନାମରେ ଅଛି। ତଦନ୍ତ ବେଳେ ମାଲିକ ରଞ୍ଜନ ତାଙ୍କର କୌଣସି ପ୍ରକାରର ସାର ବିକ୍ରି ପାଇଁ ଅଧିକୃତ ନୁହନ୍ତି। ଏଥିସହ ଗଚ୍ଛିତ ସାରର କୌଣସି ବିଲ୍‌ କିମ୍ବା କାଗଜପତ୍ର ଦେଖାଇ ପାରି ନ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ସାର ଜବତ କରି ତାର ଗୁଣବତ୍ତା ପରୀକ୍ଷା ପାଇଁ ନମୁନା ପରୀକ୍ଷାଗାରକୁ ପଠାଇ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅଳ୍ପ କିଛି ଦିନ ପୂର୍ବରୁ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମରେ ବେଆଇନ ସାର ପ୍ରସ୍ତୁତି କାରଖାନାକୁ ଜବତ କରି ତାର ସହଯୋଗୀ ତିନି ଜଣଙ୍କୁ ଗିରଫ କରିଥିଲେ। ମୁଖ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରିବାରେ ସକ୍ଷମ ହୋଇ ନାହିଁ। ରାଜ୍ୟ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ସହ ଖେଳୁଥିବା ଦୋଷୀମାନଙ୍କୁ ଜାତୀୟ ନିରାପତ୍ତା ଆଇନରେ ଗିରଫ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି।