ବାତ୍ୟା ରୂପ ନେଲା 'ମିଗ୍‌ଜୋମ୍‌': ଓଡ଼ିଶାକୁ ୩ଦିନ ଭାରି ବର୍ଷା

ବାତ୍ୟା ରୂପ ନେଲା 'ମିଗ୍‌ଜୋମ୍‌': ଓଡ଼ିଶାକୁ ୩ଦିନ ଭାରି ବର୍ଷା

ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରବିବାର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସୂଚନାନୁସାରେ, ରବିବାର ସା ୭ଟା ୪୫ ସୁଦ୍ଧା ଏହା ପୁଡୁଚେରୀଠାରୁ ପ୍ରାୟ ୨୪୦ କି.ମି. ପୂର୍ବ, ଚେନ୍ନାଇଠାରୁ ୨୧୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବ, ନେଲ୍ଲୋରଠାରୁ ୩୩୦ କି.ମି l

ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ୍‌ଠାରୁ ୪୫୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟା ପ୍ରତି ୮ କି.ମି. ବେଗରେ ଆଗକୁ ବଢ଼ୁଛି। କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ୪ ତାରିଖ ସୋମବାର ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚତ୍ବ। ଏହାପରେ ପ୍ରାୟ ସମାନ୍ତରାଳ ଭାବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଗତିକରି ୫ ତାରିଖ ପୂର୍ବାହ୍ନରେ ନେଲ୍ଲୋର ଓ ମଛଲିପଟନମ୍‌ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ବହିବ। ଏହାର ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାର ପୂର୍ବାନୁମାନ କରି ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ମାଲକାନଗିରି,

କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବ। ମଙ୍ଗଳବାର ୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି l

ସେହିଭଳି ବାତ୍ୟା କ୍ଷେତରେ ଛିଡ଼ା ହୋଇଥିବା ଫସଲ ଓ ପନିପରିବା, କଚ୍ଚା ରୋଡ୍‌ ଏବଂ କଚ୍ଚା ଘରଗୁଡ଼ିକୁ କ୍ଷତି ପହଞ୍ଚାଇପାରେ। ତେଣୁ ପାଚିଲା ଧାନ, ମାଣ୍ଡିଆ, ବାଜରା, କପା ଓ ଅନ୍ୟାନ୍ୟ ଫସଲ, ଉଦ୍ୟାନ କୃଷି ଫସଲ ଓ ପନିପରିବା ଅମଳ ୩ ତାରିଖ ସୁଦ୍ଧା ଶେଷ କରି ସୁରକ୍ଷିତ ସ୍ଥାନରେ ରଖିବା ସହ ଫସଲ ଥିବା ଚାଷଜମିରୁ ଅତିରିକ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଆଇଏମ୍‌ଡି ପକ୍ଷରୁ ପରାମର୍ଶ ଦିଆଯାଇଛି ।