ସିକ୍କିମ ବନ୍ୟାରେ ସହିଦ ଓଡ଼ିଆ ଯବାନ ସରୋଜଙ୍କ ବଳିଦାନ ସ୍ମରଣୀୟ ହୋଇ ରହିବ: ନବୀନ
ସାରା ଦେଶକୁ ଦୋହଲାଇ ଦେଇଛି ସିକ୍କିମରେ ଆସିଥିବା ଜଳ ପ୍ରଳୟ।

ସାରା ଦେଶକୁ ଦୋହଲାଇ ଦେଇଛି ସିକ୍କିମରେ ଆସିଥିବା ଜଳ ପ୍ରଳୟ। ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ଯୋଗୁଁ ତିସ୍ତା ନଦୀରେ ଅଚାନକ ଆସିଥିବା ଜଳପ୍ରଳୟର ତାଣ୍ଡବ ରଚିଛି। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି। ସ୍ଥିତି ଏତେ ଭୟାନକ ଯେ, ଉଦ୍ଧାର କରିବାକୁ ଯାଇ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି।
ଯେଉଁଥିରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ ଓଡ଼ିଆ ଯବାନଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସିକ୍କିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ସହିଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ଖବର ଅନୁଯାୟୀ, ସିକ୍କିମ୍ ତିସ୍ତା ନଦୀରେ ବନ୍ୟା ଆସିଥିଲା । ଯାହାଫଳରେ ୨୩ ଯବାନ ନିଖୋଜ ହୋଇଥିଲେ । ସିକ୍କିମ ବନ୍ୟାରେ ନିଖୋଜ ହୋଇଥିବା ୨୩ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିଲେ । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ସିକ୍କିମ୍ ବନ୍ୟାରେ ନିଖୋଜ ହୋଇଯାଇଥିଲେ । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଂଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ୨୦୧୨ରେ ସେନବାହିନୀରେ ଯୋଗ ଦେଇଥିଲେ ସେ । ଏହି ବର୍ଷ ଫେବ୍ରୁଆରୀ ମାସରେ ହୋଇଥିଲା ତାଙ୍କର ବିବାହ । ଦୁଇମାସ ପୂର୍ବରୁ ଘରକୁ ଆସିଥିଲେ ସରୋଜ । ଆଉ ଏବେ ଆସିଛି ଦୁଃଖଦ ଖବର ।
ତେବେ ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ ସେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ବୁଧବାର ଦିନ ୧୧ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ। ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଥିଲେ ତାଙ୍କ ବଡ଼ ଭାଇ ମନୋଜ ସାହୁ ।