ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ
ବିଜେପି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବିଜେପି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋଦିଙ୍କ କଥା ରଖିଲେ ନାହିଁ। କୋଟି କୋଟି ଲୋକଙ୍କୁ ମୋଦି ଦେଇଥିବା ପ୍ରତିଶୃତିକୁ ମୋହନ ଉପେକ୍ଷା କରିଗଲେ। ଏହି ପ୍ରତିଶୃତି ହେଲା ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ପ୍ରସଙ୍ଗ। ରାଜ୍ୟରେ ସରକାର ଗଠନ ହେବାର ୧ମାସ ମଧ୍ୟରେ ଚାବି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ମୋଦି ଦେଇଥିଲେ ପ୍ରତିଶୃତି।
ହେଲେ ମୋହନ ତାକୁ କାର୍ଯ୍ୟକାରୀ କଲେ ନାହିଁ। ଆଉ ୨୪ଘଣ୍ଟା ପରେ ମୋହନ ସରକାରକୁ ୧ମାସ ପୁରିବ, ହେଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ପଛକୁ ହଟିଗଲେ ମୋହନ ସରକାର। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନିରାସ କରିଛି।
ନିର୍ବାଚନ ପୂର୍ବରୁ ସବୁଠୁ ବଡ଼ ପ୍ରସଙ୍ଗ ଥିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି। ଏହି ଚାବି ହଜିଥିବା ନେଇ ପୂର୍ବତନ ନବୀନ ସରକାର ତଦନ୍ତ କରିଥିଲେ। ମାତ୍ର ତଦନ୍ତ ରିପୋର୍ଟକୁ ଚାପି ଦେଇଥିଲେ। ବାରମ୍ବାର ଦାବି ପରେ ମଧ୍ୟ ନବୀନ ସରକାର ତାକୁ ପ୍ରକାଶ କରିନଥିଲେ। କ୍ୟାବିନେଟକୁ ଆଣି ନଥିଲେ କି ଗୃହରେ ଉପସ୍ଥାପନ କରିନଥିଲେ। ସାର୍ବଜନୀନ କରିବା ଦିଗରେ ନୀରବ ରହୁଥିଲେ। ଏହାକୁ ହିଁ ପ୍ରସଙ୍ଗ କରିଥିଲା ବିଜେପି। ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ଚାଲିଯାଇଥିବା ଅଭିଯୋଗ ରଖିଲା। ଏପରି ମାରାତ୍ମକ ଅଭିଯୋଗ ଆଣିବା ସହ ବିଜେପି ସରକାର ଆସିଲେ ୧ମାସ ମଧ୍ୟରେ ଚାବି ତଦନ୍ତ ରିପୋର୍ଟ ପ୍ରକାଶ କରିବ ଓ ଚାବି ଖୋଜିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏଥିରେ ସମସ୍ତେ ମଧ୍ୟ ସହମତି ଦେଇଥିଲେ। ଆଉ କିଛିଘଣ୍ଟା ପରେ ମୋହନ ସରକାର ଗଠନର ୧ମାସ ପୁରିବ। ହେଲେ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ପ୍ରକାଶ କରାଗଲା ନାହିଁ। ଏପରିକି ରତ୍ନଭଣ୍ଡାରକୁ କେଉଁ ଚାବିରେ ଖୋଲାଯିବ। ନକଲି ଚାବି କେତେ ଭରସା ଯୋଗ୍ୟ? ନକଲି ଚାବି ଠିକ ନଥିଲେ କ'ଣ କରାଯିବ? ଚାବି ଭଙ୍ଗାଯିବାକୁ ପ୍ରସ୍ତୁତ ହେଲେଣି ରତ୍ନଭଣ୍ଡାର କମିଟି। ହେଲେ ଚାବି ହଜିବା ରିପୋର୍ଟ ଲୋକେ ଜାଣି ପାରିଲେ ନାହିଁ।
ଆଜି ମୋହନ ସରକାର ଦ୍ୱିତୀୟ କ୍ୟାବିନେଟ ବୈଠକ କରିଛନ୍ତି। ଏହି ବୈଠକରେ ନା ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ କଥା ଉଠିଲା ନା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିଲା। ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମୋଦି କହିଥିଲେ ୧ମାସ ମଧ୍ୟରେ ରିପୋର୍ଟ ପ୍ରକାଶ କରିବେ। ଦୃଢ଼ ପ୍ରତିଶୃତି ବି ଦେଇଥିଲେ। ତାଙ୍କ କଥା ଉପରେ ଭରସା କରି କୋଟି କୋଟି ଲୋକ ବିଜେପିକୁ ଭୋଟ ଦେଲେ। ମାତ୍ର ସରକାର ଗଢ଼ିବା ପରେ ବିଜେପି ବଦଳିଗଲାଣି। ମୋଦିଙ୍କ ପ୍ରତିଶୃତିକୁ ମୁଖ୍ୟମନ୍ତ୍ରୀ ମୋହନ ଭାଙ୍ଗି ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି ବି କହିଲେ ନାହିଁ। ତେଣୁ ଏହା ମୋଦିଙ୍କ ପ୍ରତିଶୃତି ମୁତାବକ ପଦାକୁ ଆସିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଦେଖାଯାଉ ମୋହନ ସରକାର ମୋଦିଙ୍କର ଆଉ କେଉଁ କେଉଁ ନିର୍ବାଚନୀ ପ୍ରତିଶୃତିକୁ ଭାଙ୍ଗୁଛନ୍ତି।