ଚିଲିକା ଖନନ ପାଇଁ କେନ୍ଦ୍ର ର ୨୩ କୋଟି ଟଙ୍କା ଅନୁଦାନ, ସାଂସଦ ଙ୍କୁ କୃତଜ୍ଞତା

ଏସିଆର ବୃହତ୍ତମ ଲୁଣାହ୍ରଦ ଚିଲିକାର ଖନନ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୨୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ସାଂସଦ ଙ୍କୁ କୃତଜ୍ଞତା ଜଣାଇଲେ ମତ୍ସଜୀବି

ଚିଲିକା ଖନନ ପାଇଁ କେନ୍ଦ୍ର ର ୨୩ କୋଟି ଟଙ୍କା ଅନୁଦାନ, ସାଂସଦ ଙ୍କୁ କୃତଜ୍ଞତା

ଖୋର୍ଦ୍ଧା: ଏସିଆର ବୃହତ୍ତମ ଲୁଣାହ୍ରଦ ଚିଲିକାର ଖନନ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୨୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଚଳିତ ମାସ ୪ ତାରିଖରେ ପରିବେଶ ମନ୍ତ୍ରଣାଳୟର ଆଦ୍ରଭୂମି ବିଭାଗ ପକ୍ଷରୁ ଏନେଇ ମନ୍ତ୍ରଣାଳୟର ପ୍ରମୁଖ ଅନୁଦାନ ଓ ହିସାବ ରକ୍ଷକ ଅଧିକାରୀଙ୍କୁ ଚିଠିଲେଖି ଲେଖିଛନ୍ତି। ନ୍ୟାସନାଲ୍ ପ୍ଲାନ୍ ଫର୍ କନ୍ଜରଭେସନ୍ ଅଫ୍ ଆକ୍ବାଟିକ୍ ଇକୋ ସିଷ୍ଟମ୍ (ଏନ୍ପିସିଏ) ପକ୍ଷରୁ ଚିଲିକାର ଖନନ ପାଇଁ ଦ୍ବିତୀୟ ବର୍ଷ ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରଥମ ଅନୁଦାନ ପ୍ରଦାନ କରାଯାଇଛି। ଚିଲିକାର ଖନନ ପାଇଁ ମୋଟ ୨୩ କୋଟି ୫୦ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ୬୦ ଓ ୪୦ ଭାଗିଦାରୀ ରହିବ। ସୂଚନାଯୋଗ୍ୟ ମାତ୍ର ଦୁଇ-ତିନି ଦଶନ୍ଧି ପୂର୍ବେ ଏସିଆର ବୃହତ୍ତମ ଲୁଣା ଲାଗୁନ୍ ଚିଲିକାର ମୋଟ ଆୟତନ ୧୦୦୦ ବର୍ଗ କିଲୋମିଟର ଥିଲା।

୨୦-୩୦ ବର୍ଷ ମଧ୍ୟରେ ଏହାର ଆୟତନ ୭୬୦ ବର୍ଗ କିଲୋମିଟରକୁ ହ୍ରାସ ପାଇଛି। ଚିଲିକା କୂଳରେ ଚାଷ ଜମି, ମାଛ ଚାଷ, ଜନବସତି, ଉପରମୁଣ୍ଡରେ ଜଙ୍ଗଲର ହ୍ରାସ ଆଦି ଚିଲିକାର ସଙ୍କୁଚନର ମୁଖ୍ୟକାରଣ ଅଟେ। ଏହାକୁ ଦୃଷ୍ଟିରେ ରଖି ଚିଲିକାର ଜୈବବିବିଧତାକୁ ସୁରକ୍ଷିତ ରଖିବାକୁ ଚିଲିକା ଉଦ୍ଧାର ଯୋଜନା ୨୦୨୧ରେ ଆରମ୍ଭ ହୋଇଥିଲା। ଅନୁଦାନ ଘୋଷଣା ହେବା ପରେ ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପରିବେଶ ମନ୍ତ୍ରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛି। ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ଯେ ଯୋଜନା କାର୍ୟ୍ୟକାରୀ ହେବାରେ ବିଳମ୍ବ ଘଟିବା ନେଇ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଧୀବରମାନେ ବିଭିନ୍ନ ସମୟରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷତ କରି ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ଦେଇଥିଲେ।