ଓଡ଼ିଶାରେ ପାଣ୍ଡିଆନଙ୍କ କ୍ୟାରିୟର

ଓଡ଼ିଶାରେ ପାଣ୍ଡିଆନଙ୍କ କ୍ୟାରିୟର

ଓଡିଶାରେ ପାଣ୍ଡିଆନ କାମ ଆରମ୍ଭ କରିଥିଲେ ଜଣେ ଯୁବ ସବ-କଲେକ୍ଟର ହିସାବରେ । ୨୦୦୦ ବ୍ୟାଚର ଏହି ଆଇଏଏସ୍‌ ଅଫିସର ନିଜ ଚାକିରି ଜୀବନର ପ୍ରଥମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରୁ ସବ-କଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ପାଣ୍ଡିଆନଙ୍କ ଗୋଟିଏ ନିଷ୍ପତି ତାଙ୍କୁ ଚର୍ଚ୍ଚାରେ ଆଣିଥିଲା ।

ସେତେବେଳେ ମିଲରମାନଙ୍କୁ ପୂରା ଏମଏସପି ଚାଷୀମାନଙ୍କୁ ଦେବାକୁ ନିଷ୍ପତି ନେଇଥିଲେ ପାଣ୍ଡିଆନ୍‌ । ଆଉ ଏହାର ସିଧାସଳଖ ଲାଭ ପାଇଥିଲେ ହଜାର ହଜାର ଚାଷୀ ଭାଇ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ଏହି ନିଷ୍ପତିକୁ ପ୍ରଂଶସା କରିଥିଲେ।

୨୦୦୨ ରୁ ୨୦୦୪ ପର୍ୟ୍ୟନ୍ତ ପାଣ୍ଡିଆନ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ୟ୍ୟ କରିଥିଲେ। ଏହାପରେ ସେ ରାଉରକେଲା ଏଡିଏମ୍ ଭାବେ କାମ କରିବା ପରେ୨୦୦୫ ରୁ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ। ମୟୁରଭଞ୍ଜ କଲେକ୍ଟର ଭାବରେ ୨୦୦୫ ରୁ ୨୦୦୭ ପର୍ୟ୍ୟନ୍ତ କାମ କରିଥିଲେ ପାଣ୍ଡିଆନ। ସେତେବେଳେ ସାରା ଦେଶରେ ସେ ସବୁଠୁ ୟଙ୍ଗ କଲେକ୍ଟର ହେବାର ଗୌରବ ଅର୍ଜନ କରିଥିଲେ ଭି.କେ ପାଣ୍ଡିଆନ୍, ଆଉ ତାଙ୍କ କାମକୁ ନେଇ ବି ବେଶ ଚର୍ଚ୍ଚା ହେଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ସେ ପ୍ରଥମ କରି ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ମୟୂରଭଞ୍ଜଙ୍କୁ ନ୍ୟାସନାଲ୍‌ ଆୱାର୍ଡ ମିଳିବା ସହ ପାଣ୍ଡିଆନଙ୍କୁ ହେଲେନ୍‌ କିଲର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହାପରେ ଓଡିଶାର ଉତ୍ତରରୁ ଏବେ ଦକ୍ଷିଣକୁ ଆସିଥିଲେ ଭି କେ ପାଣ୍ଡିଆନ୍‌ । ମୟୂରଭଞ୍ଜରୁ ବଦଳି ହେଇ ସେ ହେଇଥିଲେ ଗଞ୍ଜାମ କଲେକ୍ଟର । ସେତେବେଳେ ଓଡିଶାର ଜିଲ୍ଲାମାନଙ୍କ ଭିତରେ ଗଞ୍ଜାମକୁ ଗୋଟିଏ ପଛୁଆ ଜିଲ୍ଲା ହିସାବରେ ଦେଖାଯାଉଥିଲା ।

ହେଲେ ଯେବେଠୁ ପାଣ୍ଡିଆନ୍‌ ଏ ଜିଲ୍ଲାର କଲେକ୍ଟର ହେଲେ, ସେବେଠୁ ଗଞ୍ଜାମ ଆଗକୁ ବଢିବା ସହ ବିକାଶର ସ୍ୱପ୍ନ ଦେଖିଥିଲା। ୨୦୦୭ ରୁ ୨୦୧୧ ପର୍ୟ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ୟ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ଅଶେଷ ସଫଳତା ମିଳିଥିଲା। ପାଣ୍ଡିଆନ ଜିଲ୍ଲାପାଳ ଥିବା ସମୟରେ ବିଭିନ୍ନ ସରକାରୀ ଯୋଜନାର ସଠିକ କାର୍ୟ୍ୟ ପାଇଁ ୪ ଥର ଜାତୀୟ ପୁରସ୍କାର ପାଇଥିଲା ଗଞ୍ଜାମ।

ସେତେବେଳେ ମନରେଗା ଭଳି ଜନ ହିତକାରୀ ସରକାରୀ ଯୋଜନାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଭି କେ ପାଣ୍ଡିଆନ୍‌ ସେତେବେଳେ ଏ କାମକୁ ନିଜେ ହିଁ ତର୍ଜମା କରୁଥିଲେ । ଲୋକଙ୍କ ମନରେଗା କାମର ପାଉଣା, ସେତେବେଳେ ପ୍ରଥମ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଉ ପାଣ୍ଡିଆନଙ୍କ ନିଆରା ନିଷ୍ପତି ଯୋଗୁଁ ଦୁଇ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିଲା ଗଞ୍ଜାମ । ଏହାସହ ରାଜ୍ୟ ସରକାର ମଧ୍ୟ ଭି କେ ପାଣ୍ଡିଆନ୍‌ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିବା ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁକରିଥିଲେ।

ମନରେଗା ପରେ ଗଞ୍ଜାମରେ ଏଡସ୍‌ ରୋକିବାକୁ ଅଣ୍ଟା ଭିଡିଥିଲେ କଲେକ୍ଟର ଭିକେ ପାଣ୍ଡିଆନ୍‌ । ସେତେବେଳେ ଗଞ୍ଜାମ ହିଁ ଓଡିଶାରେ ଗୋଟିଏ ମାତ୍ର ଜିଲ୍ଲା ଥିଲା । ଯେଉଁଠି ଏଡସ୍‌ ରୋଗୀଙ୍କ ସଂଖ୍ୟା ସବୁଠୁ ଉପରେ ଥିଲା । ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋକିବାକୁ କାମ ଆରମ୍ଭ କରିଥିଲେ ପାଣ୍ଡିଆନ୍‌ । ଆଉ ଏଥିପାଇ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା ।