ଆସିଲା ଭୁବନେଶ୍ୱର ମେଟ୍ରୋ ଷ୍ଟେସନର ପ୍ରଥମ ଚିତ୍ର

ଭୁବନେଶ୍ୱର ମେଟ୍ରୋ ଡିଜାଇନ୍ କନସଲଟାନ୍ସ କଣ୍ଟ୍ରାକ୍ଟ (ବିସିଡିଡି)ର ପ୍ରଥମ ପର୍ଯ୍ୟାୟ ଟେଣ୍ଡର ଇଣ୍ଟର କନେକ୍ସନାଲ କନସଲଟାନ୍ସ ଆଣ୍ଡ ଟେକ୍ନାକାର୍ଟ (ଆଇସିଟି ) ହାତକୁ ଯାଇଛି ।

ଆସିଲା ଭୁବନେଶ୍ୱର ମେଟ୍ରୋ ଷ୍ଟେସନର ପ୍ରଥମ ଚିତ୍ର

ଭୁବନେଶ୍ୱର ମେଟ୍ରୋ ଡିଜାଇନ୍ କନସଲଟାନ୍ସ କଣ୍ଟ୍ରାକ୍ଟ (ବିସିଡିଡି)ର ପ୍ରଥମ ପର୍ଯ୍ୟାୟ ଟେଣ୍ଡର ଇଣ୍ଟର କନେକ୍ସନାଲ କନସଲଟାନ୍ସ ଆଣ୍ଡ ଟେକ୍ନାକାର୍ଟ (ଆଇସିଟି ) ହାତକୁ ଯାଇଛି । ଏହା ପରେ ଭୁବନେଶ୍ୱର ମେଟ୍ରୋ ଷ୍ଟେସନର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି । ମେଟ୍ରୋ ଷ୍ଟେସନର ରୂପରେଖ ଓ ଏହା ସଂଲଗ୍ନ ମାର୍କେଟ୍ କିପରି ହେବ ସେ ସମ୍ପର୍କରେ ଡିଜାଇନ୍ ଜାରି କରିଛି କମ୍ପାନୀ ।

ପ୍ରଥମ ପର୍ଯ୍ୟାୟରେ ୨୬ କିମି ପର୍ଯ୍ୟନ୍ତ ମେଟ୍ରୋ ନିର୍ମାଣ ହେବ । ଭୁବନେଶ୍ୱର ବିମାନବନ୍ଦରରୁ ଫୁଲ ପୋଖରୀ ପର୍ଯ୍ୟନ୍ତ ଥିବା ଷ୍ଟେସନର ଡିଜାଇନ୍ ତିଆରି କରିବ ଏହି କମ୍ପାନୀ । ଅପରେସନାଲ କଣ୍ଟ୍ରୋଲ ସେଣ୍ଟର (ଓସିସି), ଇଲେକ୍ଟ୍ରିକାଲ, ମେକାନିକାଲ ବିଲ୍ଡିଂ କାମ ଆରମ୍ଭ ହେବ । ସେହିପରି ସିଭିଲ କାମରେ ଡିଜାଇନ ମଧ୍ୟ ପ୍ରସ୍ତୁତ କରିବ । ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ରେଲ୍ କର୍ପୋରେସନ ଲିମିଟେଡ୍ (ଡିଏମ୍ଆରସି) ଡିଜାଇନ ଟେଣ୍ଡର ଡାକିଥିଲା । ଏହି ଟେଣ୍ଡରରେ ୩ଟି କମ୍ପାନି ଭାଗ ନେଇଥିଲେ । ଆଇସିଟି ସବୁଠୁ କମ୍ ଅର୍ଥାତ ୧୩.୦୪ କୋଟି ଟଙ୍କାରେ ଏହି ଟେଣ୍ଡର ପାଇଛି ।

ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିଃ ପକ୍ଷରୁ ୩ଟି ପର୍ଯ୍ୟାୟରେ ୧୯ଟି ମେଟ୍ରୋ ଷ୍ଟେସନ ସହ ମେଟ୍ରୋ ରେଳପଥ ବିଛାଇବାକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ମିଳି ନ ଥିବାରୁ ବିମାନବନ୍ଦରକୁ ଛାଡ଼ି ବାକି ୧୯ଟି ସ୍ଥାନରେ ଷ୍ଟେସନ ନିର୍ମାଣ କରାଯିବ । ୧୯ଟି ମେଟ୍ରୋ ଷ୍ଟେସନ ପାଇଁ ମୋଟ ୨୧୬୩ କୋଟି ଟଙ୍କା ବ୍ୟୟ ହେବ । ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକରେ ମେଟ୍ରୋ ଷ୍ଟେସନ ନିର୍ମାଣ ସହ ଏଲିଭେଟେଡ୍ ରେଳପଥ ନିର୍ମାଣ କରାଯିବ ।

ଏଥିପାଇଁ ୬୩୦ କୋଟି ଟଙ୍କା ବ୍ୟୟ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ ଓ କିଟ୍ ଛକ ଦେଇ ମେଟ୍ରୋ ରେଳ ଏଲିଭେଟେଡ କରିଡର ନିର୍ମାଣ ହେବ । ଏସବୁ ସ୍ଥାନରେ ମେଟ୍ରୋ ଷ୍ଟେସନ ମଧ୍ୟ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୬୬୪ କୋଟି ଟଙ୍କା । ତୃତୀୟ ପର୍ଯ୍ୟାୟରେ ନନ୍ଦନବିହାରରୁ ରଘୁନାଥପୁର, ନନ୍ଦନକାନନ, ବାରଙ୍ଗ, ଫୁଲପୋଖରୀ ଦେଇ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ରେଳ ପଥ ଓ ଷ୍ଟେସନ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୮୬୯ କୋଟି ଟଙ୍କା । ଏଥିରେ ର୍ୟାମ୍ପ ସହ ଫୁଲପୋଖରୀରେ ମେଟ୍ରୋ ଡିପୋ ନିର୍ମାଣ ଯୋଜନା ବି ରହିଛି ।