ତ୍ରିପୁରା ମିଶ୍ର ପାଇଲେ ‘ପରୀକ୍ଷିତ ଜେନା ବାଣୀଚିତ୍ର ସମ୍ମାନ’

ଓଡ଼ିଶାର ଅନ୍ୟତମ ମାସିକ ପତ୍ରିକା ‘ବାଣୀଚିତ୍ର’ର ୫୫ତମ ବାର୍ଷିକ ଉତ୍ସବ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପରେ ‘ପରିକ୍ଷୀତ ଜେନା ବାଣୀଚିତ୍ର ସମ୍ମାନ-୨୦୨୩’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ଏହି ଅବସରରେ ‘ପରୀକ୍ଷିତ ଜେନା ବାଣୀଚିତ୍ର ସମ୍ମାନ-୨୦୨୩’ରେ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମର ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରଫୁଲ୍ଲ ସାମଲ, ପିପିଏଲ୍ର କର୍ପୋରେଟ୍ ବ୍ୟାପାର ଅଧିକାରୀ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ।
କଳା, ସଂସ୍କୃତି, ନୃତ୍ୟ, ସଂଗୀତ, ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୩ଜଣ ବ୍ୟକ୍ତିତ୍ବଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ବିଭିନ୍ନ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପ୍ରତିକ୍ଷା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଲିଖିତ ‘ପ୍ରତିକ୍ଷା’କୁ ଶ୍ରେଷ୍ଠ କାହାଣୀ ପୁରସ୍କାର ମଧ୍ୟ ମିଳିଥିଲା ଏବଂ ଅନୁପମଙ୍କୁ ଏଥିପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ଦିଆଯାଇଥିଲା। ସେହିଭଳି ‘ଦମନ’ ସିନେମା ପାଇଁ ଶ୍ରେଷ୍ଠ ପ୍ରଯୋଜକ ଭାବେ ଦୀପେନ୍ଦ୍ର ସାମଲ, ‘ସମାପାଜୁର ରଘୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ (ଜୁରି) ଚିନ୍ମୟ ମିଶ୍ର, ‘ଦମନ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଲୋକପ୍ରିୟ ନିର୍ଦ୍ଦେଶକ ବିଶାଲ୍ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା, ଶ୍ରେଷ୍ଠ ପ୍ରଯୋଜକ ରମେଶ ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିଭଳି ବବି ମିଶ୍ରଙ୍କୁ ଶ୍ରେଷ୍ଠ ଖଳନାୟକ (ରୁଦ୍ରାଣୀ), ଦ୍ବୀପାନ୍ବିିତ ଦାସମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା (ପ୍ରତିକ୍ଷା), ପୁନମ୍ ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (ମହାବାହୁ), ଶୁଭାଶିଷ ଶର୍ମାଙ୍କୁ ଶ୍ରେଷ୍ଠ ଅଭିନେତା (ରୁଦ୍ରାଣୀ), ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ(ରୁଦ୍ରାଣୀ) ସମ୍ମାନ ପ୍ରଦାନ କରାଯାଇଥିଲା।