ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦଳୀୟ ସମାବେଶରେ ଯୋଗ ଦେବେ

ଆସନ୍ତା ୨୬ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ କରିବେ ସମାବେଶ । ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହ କରିବେ ଆଲୋଚନା । ତାହାସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅମିତ ଶାହା ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେବେ । ଆସନ୍ତା ନିର୍ବାଚନରେ ବିଜେପି କିପରି ଓଡ଼ିଶା ରେ ଭଲ ପ୍ରଦର୍ଶନ କରିବ ସେନେଇ ମାନସମନ୍ଥନ କରିପାରନ୍ତି ଶାହା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଭଦ୍ରକର କେତେକ ଐତିହାସିକ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛ। ଅମିତ ଶାହଙ୍କର ଢେଙ୍କାନାଳ ଓ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରବାସ କାର୍ଯ୍ୟକ୍ରମ ରହିଛି। ତେବେ ସେ ଆଗେ ଭଦ୍ରକ ଆସିବେ।ସୂଚନାଯୋଗ୍ୟ, ପୂର୍ବରୁ ଗତବର୍ଷ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶେଷ ଥର ଲାଗି ଓଡ଼ିଶା ଆସିଥିଲେ। ସେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଅବସରରେ କଟକର ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗଦେଇଥିଲେ।ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ଶିବିରରେ ଏବେଠୁ ଉତ୍ସାହ ଦେଖାଦେଲାଣି । ଅମିତ ଶାହାଙ୍କ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ସୁଚନା ଆସିନଥିବା ବେଳେ ଆସନ୍ତା ୨ ଦିନ ମଧ୍ୟରେ ଗସ୍ତ ବିବରଣୀର ସମସ୍ତ ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।