ଆଉ କିଛି କ୍ଷଣ ମଧ୍ୟରେ ମହା ମୁକାବିଲା
୨୦ ବର୍ଷ ପରେ ବଦଲା ନେବା ମୁଡ଼ ରେ ଭାରତ

ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଛୁଟୁଛି ଶୁଭେଚ୍ଛାର ସୁଅ, ସମସ୍ତେ କରୁଛନ୍ତି ଭାରତର ବିଜୟ କାମନା
ଅହମ୍ମଦାବାଦ: ଆଉ କିଛି ସମୟ ପରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ବକପର ଫାଇନାଲ। ଏକ ଲକ୍ଷ ତିରିଶ ହଜାରରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ । ଟୁର୍ଣ୍ଣାମେଣ୍ଟରେ ଏଯାବତ୍ ଅପରାଜେୟ ଥିବା ଭାରତ ୨୦୦୩ ପରାଜୟର ପ୍ରତିଶୋଧ ସହ ତୃତୀୟ ବିଶ୍ବକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆର ନଜର ରହିବ ରେକର୍ଡ ଷଷ୍ଠ ଟ୍ରଫି ଉପରେ । ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ଏହା ଚତୁର୍ଥ ଫାଇନାଲ୍। ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ଵିନ ପୂର୍ବରୁ ବିଶ୍ବକପ୍ (୨୦୧୧) ଜିତି ସାରିଥିବାବେଳେ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ୨୦୦୭ ଟି୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ ମଧ୍ୟ ଦିନିକିଆ ବିଶ୍ଵକପ୍ରେ ଏହା ତାଙ୍କର ପ୍ରଥମ ଫାଇନାଲ। ତେଣୁ ରବିବାର ଏକ ରୋଚକ ଲଢ଼େଇ ଦେଖିବାକୁ ମିଳିବ।
ତେବେ ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ବିଜୟ କାମନା କରି ସବୁଠି ପୂଜାର୍ଚ୍ଚନା ଚାଲିଛି । ମ୍ୟାଚ୍ ଦେଖିବାକୁ ଏବେଠୁ ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଲାଗିଲାଣି । ସେପଟେ ଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଅନେକ ରାଜନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳୀ ମାନଙ୍କର ବିଜୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ୧୪୦କୋଟି ଭାରତୀୟ ବିଜୟ କାମନା କରୁଛନ୍ତି । ଖେଳୁଆଡ ମନୋଭାବ ନେଇ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି । ‘ଏକ୍ସ୍’ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଟିମ୍ ଇଣ୍ଡିଆ ପ୍ରତି ଆନ୍ତରିକ ଶୁଭେଚ୍ଛା! ୧୪୦ କୋଟି ଭାରତୀୟ ଆପଣମାନଙ୍କୁ ଉତ୍ସାହ ଦେଉଛନ୍ତି। ଜାଜ୍ଜ୍ବଲ୍ୟମାନ ହୁଅ, ମନ ଦେଇ ଖେଳ ।
ଅନ୍ୟପଟେ ଫାଇନାଲ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ ଅପରାଜେୟ ରେକର୍ଡ ବଜାୟ ରଖି ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଆମ ଦଳ କ୍ରମାଗତ ଭାବରେ ଜିତୁଛି । ସମଗ୍ର ଦେଶର ଲୋକ ଆଶା କରୁଛନ୍ତି ଯେ ଏଥର ଭାରତ ବିଶ୍ବକପ୍ ଜିତିବ । ମୁଁ ସବୁ ବୋଲର ଏବଂ ବ୍ୟାଟ୍ସମ୍ୟାନ ମାନଙ୍କୁ ଅଭିନନ୍ଦନ ଜଣାଉଛି । କର୍ଣ୍ଣାଟକର ଡେପୁଟି ସିଏମ୍ ଡି.କେ ଶିବକୁମାର କହିଛନ୍ତି କର୍ଣ୍ଣାଟକ ସରକାରଙ୍କ ତରଫରୁ ମୁଁ ଭାରତୀୟ ଖେଳାଳି ମାନଙ୍କୁ ବିଶ୍ବକପ୍ ଜିତିବା ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।
ଭାରତୀୟ ଦଳକୁ ଚେତାବନୀ ଦେଲେ ବିସିସିଆଇ ସଭାପତି
ଫାଇନାଲ୍ ପାଇଁ ବିସିସିଆଇ ସଭାପତି ରୋଜର ବିନ୍ନି ଭାରତୀୟ ଦଳକୁ ଶୁଭେଛା ଜଣାଇଛନ୍ତି । ଟିମ୍ ଇଣ୍ଡିଆ ଟ୍ରଫି ଜିତିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏଥିସହ ବିନ୍ନି ରୋହିତ ଶର୍ମାଙ୍କ ଦଳକୁ ସତର୍କ ମଧ୍ୟ କରାଇଛନ୍ତି । ପାଞ୍ଚ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ହାଲୁକା ଭାବେ ନ ନେବାକୁ ଭାରତୀୟ ଦଳକୁ କହିଛନ୍ତି ବିସିସିଆଇ ସଭାପତି।
ଅହମ୍ମଦାବାଦରେ ଗଣମାଧ୍ୟମକୁ ରୋଜର ବିନ୍ନି କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ବହୁତ ଭଲ ଖେଳିଛି। ଆମେ ଏପର୍ଯ୍ୟନ୍ତ ସବୁ ମ୍ୟାଚ୍ ଜିତିଛୁ, ଯାହା ବିଶ୍ୱକପରେ ଏକ ରେକର୍ଡ। ମୋର ବିଶ୍ୱାସ ଯେ ଫାଇନାଲରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିବ । କିନ୍ତୁ ଫାଇନାଲ୍ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି। ଆପଣ ଅଷ୍ଟ୍ରେଲିଆକୁ ହାଲୁକା ଭାବେ ନେଇପାରିବେ ନାହିଁ । ଅଷ୍ଟ୍ରେଲିଆ ଭଲ ଦଳ। ସେମାନେ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି। କିନ୍ତୁ ଆମେ ଆଶା କରୁଛୁ ଭାରତ ଏହି ମ୍ୟାଚ ଜିତିବ।
ଅହମ୍ମଦାବାଦ୍ରେ ଭାରତ ଖେଳିଛି ୧୯ ଦିନିକିଆ, ଜିତିଛି ୧୧
ଅହମ୍ମଦାବାଦ୍ : ଦିନିକିଆ ଫର୍ମାଟ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ପୂର୍ବାପେକ୍ଷା ଆହୁରି ରୋମାଞ୍ଚକ ଓ ରୋଚକ ହୋଇପାରିଛି। ପୂର୍ବରୁ ଭାରତ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦିତା ସର୍ବଦା ରୋମାଞ୍ଚ ସୃଷ୍ଟି କରିଥାଏ। ଏବେ କିନ୍ତୁ ସେକଥା ଆଉ ନାହିଁ। ୪୩ ବର୍ଷର କ୍ରିକେଟ ଇତିହାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କିନ୍ତୁ ଦିନିକିଆ ଫର୍ମାଟକୁ ବିଚାର କଲେ ଅଷ୍ଟ୍ରେଲିଆର ରେକର୍ଡ ଭାରତଠାରୁ ଯଥେଷ୍ଟ ଭଲ ରହିଛି। ଏପର୍ଯ୍ୟନ୍ତ ଦୁଇ ଦଳ ପରସ୍ପରକୁ ୧୫୦ଟି ଦିନିକିଆ ମ୍ୟାଚ୍ରେ ଭେଟିଛନ୍ତି।
ଭାରତ ଏଥିରୁ ୫୭ଟି ମ୍ୟାଚ୍ରେ ଓ ଅଷ୍ଟ୍ରେଲିଆ ୮୩ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଗତ ୩ଟି ମ୍ୟାଚ୍ରେ କିନ୍ତୁ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବିଶ୍ୱକପ୍ ଇତିହାସରେ ମଧ୍ୟ ଭାରତଠାରୁ ଅଷ୍ଟ୍ରେଲିଆର ରେକର୍ଡ ଅପେକ୍ଷାକୃତ ଭଲ ରହିଛି। ବିଶ୍ୱକପରେ ଅଷ୍ଟ୍ରେଲିଆ ମୋଟ୍ ଉପରେ ୧୦୪ଟି ମ୍ୟାଚ୍ ଖେଳି ୭୭ଟିରେ ବିଜୟୀ ହୋଇଥିବା ବେଳେ ୨୫ଟିରେ ପରାସ୍ତ ହୋଇଛି।
ସେହିପରି ଭାରତ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ୯୪ଟି ମ୍ୟାଚ୍ ଖେଳିଛି। ଏଥିରୁ ଭାରତ ୬୩ଟି ବିଜୟ ହାସଲ କରିଥିବା ବେଳେ ୨୯ଟିରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୩୭ଟି ମ୍ୟାଚ୍ରେ ଓ ପିଛା କରି ୨୬ଟିରେ ବିଜୟୀ ହୋଇଛି। ସେହିପରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮ ଓ ପିଛା କରି ୨୯ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଏବେ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ଭାରତୀୟ ଦଳରେ କୋହଲି ସର୍ବାଧିକ ୧୭୪୧, ଡେଭିଡ୍ ୱାର୍ଣ୍ଣର ୧୫୨୦ ରନ ସଂଗ୍ରହ କରିଛନ୍ତି। ସେହିପରି ମହମ୍ମଦ ସାମି ସର୍ବାଧିକ ୫୪ ଓ ମିଚେଲ ଷ୍ଟାର୍କ ନିଜ ଦଳ ତରଫରୁ ସର୍ବାଧିକ ୬୨ ୱିକେଟ ନେଇଛନ୍ତି।
ଅହମ୍ମଦାବାଦ୍ରେ ଖେଳିଛି ୧୯, ଜିତିଛି ୧୧
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ମୋଟ୍ ୧୯ଟି ଦିନିକିଆ ମ୍ୟାଚ୍ ଖେଳି ୧୧ଟି ବିଜୟ ହାସଲ କରିଥିବା ବେଳେ ୮ଟିରେ ପରାସ୍ତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ଥର ଓ ବିଜୟ ଲକ୍ଷ୍ୟକୁ ପିଛା କରି ୬ଥର ବିଜୟୀ ହୋଇଛି। ଏହି ଗ୍ରାଉଣ୍ଡରେ ସର୍ବାଧିକ ଦଳୀୟ ସ୍କୋର ୩୨୫ ଓ ସର୍ବନିମ୍ନ ସ୍କୋର ୧୦୦ ରହିଛି। ଅପରପକ୍ଷରେ ଅଷ୍ଟ୍ରେଲିଆ ଏଠରେ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ୪ଥର ପ୍ରଥମେ ବ୍ୟାଟିଂ କରି ଓ ୨ଥର ଚେଜ୍ କରି ବିଜୟୀ ହୋଇଛି। ଏଠାରେ ଅଷ୍ଟ୍ରେଲିଆର ସର୍ବାଧିକ ସ୍କୋର ୨୮୬ ଓ ସର୍ବନିମ୍ନ ସ୍କୋର ୧୪୧ରନ ରହିଛି।
କୋହଲିଙ୍କୁ ସମସ୍ୟାରେ ପକାଇଛନ୍ତି ହାଜେଲଉଡ
ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜେଲଉଡ ସବୁବେଳେ ଭାରତୀୟ ତାରକା ବ୍ୟାଟର ବିରାଟ କୋହଲିଙ୍କୁ ସମସ୍ୟାରେ ପକାଇଛନ୍ତି। ଦିନିକିଆରେ କୋହଲିଙ୍କୁ ହାଜେଲଉଡ ୮ଟି ଇନିଂସରୁ ମାତ୍ର ୫୧ ରନ ଦେଇ ୫ଥର ଆଉଟ କରିଛନ୍ତି।
୩ଟି ଫାଇନାଲରୁ ୨ଟି ଭାରତ ବିଜୟୀ ହୋଇଛି
ଦିନିକିଆ ବିଶ୍ୱକପ୍ ଇତିହାସରେ ଭାରତ ୩ଟି ଫାଇନାଲ ଖେଳିଛି। ଏଥିରେ ଭାରତ ୨ଟିରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିବା ବେଳେ ଥରେ ପରାସ୍ତ ହୋଇ ରନର୍ସଅପ ହୋଇଛି। ଭାରତ ୧୯୮୩ ଓ ୨୦୧୧ ବିଶ୍ୱକପ୍ ଫାଇନାଲରେ ବାଜି ମାରିଥିଲା। କିନ୍ତୁ ୨୦୦୩ ବିଶ୍ୱକପ୍ ଫାଇନାଲରେ ପରାସ୍ତ ହୋଇଥିଲା।
ଅଷ୍ଟ୍ରେଲିଆ ଜିତିଛି ଅଧିକ ମ୍ୟାଚ୍
ଆଇସିସି ଦିନିକିଆ ବିଶ୍ୱକପ୍ରେ ଦୁଇ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ ୧୩ଥର ଭେଟିଛନ୍ତି। ଏଥିରେ ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ଭାରତ ୫ଟିରେ ବିଜୟ ହାସଲ କରିଛି। ସେହିପରି ବିଶ୍ୱକପ୍ ଫାଇନାଲରେ ଦୁଇଦଳ ଥରେ ପରସ୍ପରକୁ ଭେଟିଛନ୍ତି। ୨୦୦୩ ବିଶ୍ୱକପ୍ ଫାଇନାଲରେ ଭାରତକୁ ୧୨୫ ରନ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ତୃତୀୟଥର ପାଇଁ ଚାମ୍ପିଅନ ହୋଇଥିଲା। ବିଶ୍ୱକପ୍ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ଥର ବିଜୟୀ ହୋଇଥିବା ବେଳେ ପିଛା କରି ଥରେ ଜିତିଛି। ଅନ୍ୟପଟେ ଭାରତ ପ୍ରଥମେ ବ୍ୟାଟିଂ କରି ୩ଥର ଓ ପିଛା କରି ୨ଥର ବିଜୟୀ ହୋଇଛି।
ଭାରତର ସର୍ବାଧିକ ସ୍କୋର ୩୫୨, ଅଷ୍ଟ୍ରେଲିଆର ୩୫୯
ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର ୩୫୨ ରହିଛି। ସେହିପରି ସର୍ବନିମ୍ନ ସ୍କୋର ୧୨୫ ରହିଛି। ଅନ୍ୟପଟେ ବିଶ୍ୱକପ୍ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବାଧିକ ସ୍କୋର ୩୫୯ ରହିଥିବା ବେଳେ ସର୍ବନିମ୍ନ ସ୍କୋର ୧୨୯ ରନ ରହିଛି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଅଧିକ ଜିତିଛି
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି। ଏହି ଗ୍ରାଉଣ୍ଡରେ ଦୁଇ ଦଳ ୩ଟି ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି। ଭାରତ ଏଥିରେ ୨ଟିରେ ବିଜୟୀ ହୋଇଥିବା ବେଳେ ଥରେ ପରାସ୍ତ ହୋଇଛି। ସେହିପରି ଅଷ୍ଟ୍ରେଲିଆ ଥରେ ବିଜୟୀ ହୋଇଥିବା ବେଳେ ଦୁଇଥର ପରାସ୍ତ ହୋଇଛି। ଭାରତ ଥରେ ପ୍ରଥମେ ବ୍ୟାଟିଂ କରି ଓ ଥରେ ଚେଜ୍ କରି ବିଜୟୀ ହୋଇଛି। ଏହି ଗ୍ରାଉଣ୍ଡରେ ଭାରତର ସର୍ବାଧିକ ସ୍କୋର ୨୬୧ ଓ ଅଷ୍ଟ୍ରେଲିଆର ସର୍ବାଧିକ ସ୍କୋର ୨୬୦ ରହିଛି। ସେହିପରି ଭାରତର ସର୍ବନିମ୍ନ ସ୍କୋର ୧୯୩ ଓ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର ୧୪୧ ରନ ରହିଛି।
ବର୍ଷା ହେଲେ ଭାରତ ଜିତିବ
ସାରା ବିଶ୍ୱର କ୍ରିକେଟ୍ପ୍ରେମୀଙ୍କ ନଜର ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଉପରେ ରହିଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଯଦି ବର୍ଷା ବାଧକ ସାଜେ ତେବେ କ’ଣ ହେବ। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ସଦ୍ୟତମ ରିପୋର୍ଟ ଅନୁସାରେ ରବିବାର ଅହମ୍ମଦାବାଦ୍ରେ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ଯଦି ବର୍ଷା ହୁଏ ତେବେ ଫାଇନାଲ ମୁକାବିଲା ପାଇଁ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ଆଇସିସି ପକ୍ଷରୁ ଏକ ରିଜର୍ଭ ଡେ’ ବ୍ୟବସ୍ଥା କରାଯାଇଛି। ଯଦି କୌଣସି କାରଣବଶତଃ ରବିବାର ମ୍ୟାଚ୍ ସମ୍ଭବପର ହୋଇ ନ ପାରିଲା ତେବେ ରିଜର୍ଭ ଡେ’ ଅର୍ଥାତ୍ ସୋମବାରକୁ ଫାଇନାଲ ଖେଳାଯିବ। ଏହାପରେ ଯଦି ରିଜର୍ଭ ଡେ’ରେ ମଧ୍ୟ ଫାଇନାଲ ସମ୍ଭବପର ହୋଇ ନ ପାରିଲା ତେବେ ଭାରତକୁ ବିଶ୍ୱକପ୍ର ବିଜେତା ଭାବେ ଆଇସିସି ଘୋଷଣା କରିବ। ବିଶ୍ୱକପ୍ ପଏଣ୍ଟ ଟେବଲ୍ରେ ଶୀର୍ଷ ସ୍ଥାନ ଆଧାରରେ ଭାରତ ହିଁ ବିଜେତା ହେବ।