ବିଶ୍ୱ ପାଳୁଛି ହୃଦୟ ଦିବସ
ହୃତପିଣ୍ଡ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜିର ବ୍ୟସ୍ତବହୁଳ ସମୟରେ ଏହାକୁ କିପରି ସୁସ୍ଥ ରଖିବା ତାହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ହୃତପିଣ୍ଡ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜିର ବ୍ୟସ୍ତବହୁଳ ସମୟରେ ଏହାକୁ କିପରି ସୁସ୍ଥ ରଖିବା ତାହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସଂପ୍ରତି ହୃଦଘାତକୁ ନେଇ ଚିନ୍ତା ଲାଗିରହିଛି । ବିଶେଷକରି କମ୍ ବୟସର ଯୁବକମାନେ ହୃଦ୍ଘାତର ଶିକାର ହେଉଛନ୍ତି । ହୃଦଘାତ ଏଭଳି ଏକ ରୋଗ ଯାହା ହଠାତ୍ କାହାକୁ ବି ହୋଇପାରେ ।
ବିଶେଷଜ୍ଞଙ୍କ କହିବା କଥା, ହୃଦ୍ଘାତ ପୂର୍ବରୁ ଛାତି ଯନ୍ତ୍ରଣା, ବାରମ୍ବାର ହାଲିଆ ଲାଗିବା, ବିଭିନ୍ନ ଅଙ୍ଗର ଶିରାପ୍ରଶିରା ନୀଳ ହୋଇଯିବା, ମୁଣ୍ଡ ବୁଲାଇବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ଭଳି ସମସ୍ୟା ଆସେ । ହୃତପିଣ୍ଡ ଆମର ପୂରା ଶରୀରକୁ ରକ୍ତ ଯୋଗାଇ ଥାଏ । ଯଦିଏ ଏଭଳି ପରିସ୍ଥିତିରେ ରକ୍ତ ଯୋଗାଣରେ ହ୍ରାସତା ଆସେ ତେବେ ମସ୍ତିଷ୍କରେ ବି ରକ୍ତର ଅଭାବ ହୋଇଥାଏ ଯେଉଁ କାରଣରୁ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥାଏ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାଏଟେଟିକ୍ସ ଆଣ୍ଡ ନ୍ୟୁଟ୍ରିସନ ବିଭାଗ ମୁଖ୍ୟ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି, ହୃଦରୋଗୀ ସବୁଜ ପନିପରିବା ଖାଆନ୍ତୁ ଯାହା ଶରୀରକୁ ଫାଇବର ଯୋଗାଇବ । ପ୍ରତିଦିନ ବ୍ୟାୟାମ କରନ୍ତୁ । ୨ରୁ ଅଢେଇ ଲିଟର ପାଣି ପିଅନ୍ତୁ । ବଡ଼ କଥା ହେଉଛି, ଆମେ ୮ରୁ ୧୦ଘଣ୍ଟା ଶୋଇବା ଦରକାର । ରାତି ଅନିଦ୍ରା ରହିଲେ ରକ୍ତଚାପ ବାହାରିବ । ଫଳରେ ହୃଦ୍ଘାତର ଆଶଙ୍କା ସୃଷ୍ଟି ହେବ । ଗ୍ୟାସ ରହିଲେ ବି ହୃତପିଣ୍ଡ ସମସ୍ୟା ହୋଇଥାଏ । ସେହିପରି ଅଧିକ ତେଲମସଲା ଖାଦ୍ୟରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆମେ ହୃଦରୋଗ ବିଷୟରେ ସଚେତନ ହେଲେ ହିଁ ଏହାକୁ ରୋକିପାରିବା ।