ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା

ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ସକ୍ରିୟ ମୌସୁମୀ ଓ ଘୂର୍ଣ୍ଣିବଳୟ ଯୋଗୁଁ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା

ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ସକ୍ରିୟ ମୌସୁମୀ ଓ ଘୂର୍ଣ୍ଣିବଳୟ ଯୋଗୁଁ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି। ଶୁକ୍ରବାର ରାତିଠାରୁ ବର୍ଷାର ପ୍ରକୋପ ବଢ଼଼ିଥିବା ବେଳେ ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷା ଯୋଗୁଁ ନିଅଣ୍ଟିଆ ଥିବା ବର୍ଷା ୫ ପ୍ରତିଶତ ଭରଣା ହୋଇଯାଇଛି। ହଠାତ୍‌‌ ବର୍ଷାର ପରିମାଣ ବୃଦ୍ଧି ହେବା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଉଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ମଧ୍ୟରେ ବର୍ଷା ସ୍ଥିତି ଜାରି ରହିବା ସହିତ ୧୯ ତାରିଖରୁ ବର୍ଷାର ପ୍ରକୋପ ଆହୁରି ବଢ଼଼ିବ ବୋଲି ଆକଳନ କରାଯାଉଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଉତ୍ତର ଓଡ଼ିଶା-ପାର୍ଶ୍ବବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯଦିଓ ଏହି ଲଘୁଚାପ ଏବେ ଓଡ଼ିଶାଠାରୁ ଦୂରକୁ ଗତି କରୁଛି। ମାତ୍ର ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।
ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିର, ସୋନପୁର, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ୧୮ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ଏହା ପ୍ରଭାବରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୯ ତାରିଖରୁ ବର୍ଷାର ପ୍ରକୋପ ବଢ଼଼ିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ଏହାର ପରବର୍ତ୍ତି ସମୟରେ ବଙ୍ଗୋପସାଗର ସକ୍ରିୟ ସହିତ ରାଜ୍ୟକୁ ମାସ ଶେଷ ପର୍ୟ୍ୟନ୍ତ ଭଲ ବର୍ଷା ମିଳିବାର ସମ୍ଭାବନା ରହିଛି। ବର୍ଷା ଓ ଏଥିପାଇଁ ସୃଷ୍ଟି ହେବାକୁ ଥିବା ସମସ୍ୟାର ମୁକାବିଲା ସମସ୍ତ ପ୍ରକାର ଭିତ୍ତିଭୂମୀ ପ୍ରସ୍ତୁତ ରଖିବାକୁ ଏସ୍‌‌ଆରସିଙ୍କ କାର୍ୟ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।