ସାପ ସୁପାରୀ ରହସ୍ୟ: ୧୨ ଜଣ ସାପ ଧରାଳିଙ୍କୁ ଯୋଗାଯୋଗ କରିଥିଲା ଅଭିଯୁକ୍ତ
ସାପ ସୁପାରୀ ରହସ୍ୟ: ୧୨ ଜଣ ସାପ ଧରାଳିଙ୍କୁ ଯୋଗାଯୋଗ କରିଥିଲା ଅଭିଯୁକ୍ତ

କବିସୂର୍ଯ୍ୟନଗର ସାପ ଷଡ଼ଯନ୍ତ୍ର ମାମଲାରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ । ସ୍ତ୍ରୀ-ଝିଅକୁ ମାରିବା ପାଇଁ ୧୨ ଜଣ ସାପ ଧରାଳିଙ୍କୁ ଯୋଗାଯୋଗ କରିଥିଲା ଗଣେଶ । କଥାବାର୍ତ୍ତା ପାଇଁ ବଦଳାଇଥିଲା ମୋବାଇଲ ସିମ୍ । ଶ୍ବଶୁରଙ୍କ ସହ କରିଥିଲା ଡେଥ୍ ଡିଲ୍ ।
ଗଂଜାମ କବିସୂର୍ଯ୍ୟନଗର ସାପ କାମୁଡ଼ା ମୃତ୍ୟୁ ଘଟଣାରେ ସାମ୍ନାକୁ ଆସୁଛି ଆଶ୍ଚର୍ଯ୍ୟଜନକ ତଥ୍ୟ ।
କବିସୂର୍ଯ୍ୟନଗର ନାଗସାପ କାମୁଡ଼ା ଘଟଣାରେ ଆମେ ଯେତିକି ଅନୁସନ୍ଧାନ କରୁଛୁ ସେତିକି ନୂଆ ନୂଆ ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଆମେ ଅଢେଇବର ଗାଁ ଓ ପୋଲସରା ଅଞ୍ଚଳରେ ସାପ ଧରାଳିଙ୍କ ସହ ଆଲୋଚନା କରିଥିଲୁ । ଆଉ ଏହି ସମୟରେ ଜଣେ ସାପ ଧରାଳି ସାମ୍ନାକୁ ଆସିଥିଲେ ଯାହାଙ୍କଠାରୁ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିଲୁ ।
ଟୁନା ଡାକୁଆ । କାହା ଘରେ ସାପ ପଶିଲେ ଏହି ବ୍ୟକ୍ତି ଜଣକୁ ଖୋଜାପଡେ । ଆଉ ସେ ତୁରନ୍ତ ଯାଆନ୍ତି ଆଉ ସହଜରେ ଯେ କୌଣସି ସାପକୁ କାବୁ କରିପାରନ୍ତି । ଏହି ଟୁନାଙ୍କ ପାଖରେ ପହଞ୍ଚିଥିଲା ଅଭିଯୁକ୍ତ ଗଣେଶ ପାତ୍ର, ଯିଏ ନିଜ ସ୍ତ୍ରୀ ଓ ଛୁଆକୁ ନାଗସାପ ଛାଡି ହତ୍ୟା କରିଥିଲା । ଗତ ଅକ୍ଟୋବର 3 ତାରିଖରେ ଟୁନାଙ୍କ ପାଖରେ ପହଞ୍ଚି ଗୋଟିଏ ବିଷାକ୍ତ ନାଗ ସାପ କିଣିବାକୁ ଚାହୁଁଛି ବୋଲି କହିଥିଲା ଗଣେଶ । ଆହୁରି ମଧ୍ୟ କହିଥିଲା ସେ ମାନସିକ ପାଇଁ ଏହି ସାପକୁ କିଣି ଶିବ ମନ୍ଦିରରେ ଛାଡ଼ିବାକୁ ଚାହୁଁଛି ।କିନ୍ତୁ ଟୁନା ତାକୁ ସାପ ଦେଇନଥିଲେ ଓ କହିଥିଲେ ସେ ସାପ ବିକ୍ରି କରନ୍ତି ନାହିଁ ।
ଅକ୍ଟୋବର 3 ତାରିଖରେ ଟୁନା ମନା କରିବା ପରେ କିନ୍ତୁ ଆଶା ଛାଡ଼ି ନଥିଲା ଗଣେଶ । ଉଦ୍ୟମ ଜାରି ରଖିଲା ଓ ଶେଷରେ ପୋଲସରାର ଏହି ସାପ ଧରାଳିଙ୍କୁ ମିଛ କହି ସାପ ନେବାରେ ସକ୍ଷମ ହେଲା । ଆଉ ଗଣେଶର ଦୁଇ ସପ୍ତାହର ଧରି ଚାଲିଥିବା ନାଗସାପ ଖୋଜା ଅଭିଯାନର ଅନ୍ତଃ ହୋଇଥିଲା । ଅକ୍ଟୋବର 6 ତାରିଖ ରାତିରେ ପତ୍ନୀ ଓ ଛୁଆ ଶୋଇଥିବା ବନ୍ଦ କୋଠରୀ ଭିତରେ ବିଷାକ୍ତ ନାଗକୁ ଛାଡ଼ି ଦେଇଥିଲା । ଆହୁରି ସାଂଘାତିକ କଥା ହେଲା, ସ୍ତ୍ରୀ-ଛୁଆଙ୍କୁ ମାରିଥିବା ଗଣେଶ, ଶ୍ବଶୁରଙ୍କୁ ପ୍ରବର୍ତ୍ତାଉଥିଲା ଯେ ସାପ କାମୁଡ଼ା ବାବଦରେ ଯେଉଁ କ୍ଷତିପୂରଣ ରାଶି ମିଳିବ, ସେଥିରୁ ସେ ଶ୍ବଶୁରଙ୍କୁ ୩୦ ପ୍ରତିଶତ ଦେବ । ଯାହାକୁ ନେଇ ଜ୍ବାଇଁ ଉପରେ ଅଧିକ ସନ୍ଦେହ କରିଥିଲେ ଶ୍ବଶୁର ଖଲି ପାତ୍ର ।
ଦୁଇ ସପ୍ତାହ ଧରି ଆଖପାଖ ଅଞ୍ଚଳରେ ବୁଲି ବିଷାକ୍ତ ନାଗସାପ ଖୋଜୁଥିଲା ଗଣେଶ । ଏଥିପାଇଁ ସେ ଏକ ନୂଆ ସିମକାର୍ଡ ନେଇଥିଲା । ଆଉ ଏହି ସିମକାର୍ଡରେ ସେ ସାପ ଧରାଳିଙ୍କୁ ଯୋଗାଯୋଗ କରୁଥିଲା । ଯାହାର କଲ ଡିଟେଲ ରିପୋର୍ଟ ମଧ୍ୟ ପୋଲିସର ହସ୍ତଗତ ହୋଇଛି ।