ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ
ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ

ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ । ଏହି ଯାତ ସମୟରେ ପୁରୀ ସହରର ଆଠସାହିରୁ ବାହାରୁଥିବା ପଟୁଆର ଓ ଯାତ ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ ।
ପରମ୍ପରା ଅନୁଯାୟୀ, ରାମନବମୀ ତିଥି ଅବସରରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ସମ୍ପନ୍ନ କରାଯିବ। ତେଣୁ ବୁଧବାରରୁ ସାହିଯାତ ଆରମ୍ଭ ହେବ। ସେହିଭଳି ୧୮ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ଓ ମାଟି ମଣ୍ଡପ ସାହି ପକ୍ଷରୁ ନିଶାଣ ଶୋଭାଯାତ୍ରା ହେବ। ୧୯ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ କଳା ହରଣ ନୀତି କରାଯିବ। ୨୦ ତାରିଖରେ ମାର୍କେଣ୍ଡଶ୍ୱର ସାହି ପକ୍ଷରୁ ବନବାସ ନୀତି, ୨୨ରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରୀ ନୀତି, ୨୩ରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ନୀତି, ୨୪ରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରସ୍ତାବ ନୀତି, ୨୫ରେ ବାଲିସାହି ପକ୍ଷରୁ ରାବଣ ବଧ ପ୍ରସ୍ତାବ ନୀତି ସମ୍ପନ୍ନ କରାଯିବ। ସେହିପରି ୧ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ସହ ସାହିଯାତ ଶେଷ ହେବ।