ଆଜି ତିନିରଥର ଦକ୍ଷିଣମୋଡ଼

ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼ ନେବେ।

ଆଜି ତିନିରଥର ଦକ୍ଷିଣମୋଡ଼

ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତରା କରାଯାଇଛି। ବାଲି ବିଛାଯାଇ ସମତୁଲ କରାଯାଇଛି। ପୁଲିସ ବଳଙ୍କ ସହଯୋଗରେ ତିନି ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ। ରଥଯାତ୍ରା ପରଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ମଧ୍ୟାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁହାଁ କରି ରଖାଯିବ। 

ଦକ୍ଷିଣମୋଡ଼ ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ନୀତି ପରେ ବେଶ ଶେଷ ହେବ। ସାଢ଼େ ୯ଟାରେ ଗୋପାଳବଲ୍ଲଭ, ୧୦ଟାରୁ ସାଢ଼େ ୧୧ଟା ସକାଳଧୂପ ନୀତି ଅନୁଷ୍ଠିତ ହେବ।

ସାଢ଼େ ୧୦ଟାରୁ ଅପରାହ୍ଣ ଗୋଟାଏ ଭିତରେ ପ୍ରଥମ ଭୋଗମଣ୍ଡପ ଉଠିବ। ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ ନୀତି ସାଢ଼େ ୨ଟା ଭିତରେ ଶେଷ ପରେ ଅପରାହ୍ଣ ୩ଟାରେ ମହାପ୍ରଭୁଙ୍କୁ ନୂଆଲୁଗା ଲାଗି ଓ ବେଶ ହେବ। ସାଢ଼େ ୩ଟାରୁ ୫ଟା ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ସାଢ଼େ ୫ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ରାହାସକୁ ଦିଅଁ ବିଜେ କରିବେ। ପରେ ପୁନର୍ବାର ମଇଲମ ହୋଇ ରାତି ୧୧ଟାରେ ଚନ୍ଦନ ଲାଗି ହେବ। ରାତି ୧୨ଟାରେ ବଡ଼ସିଂହାର ବେଶ ଓ ରାତି ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ ରାତି ଗୋଟାଏରେ ପହୁଡ଼ ହେବ।