ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି

ଉତ୍ତରପ୍ରଦେଶର ସବୁଠାରୁ ଚର୍ଚ୍ଚିତ ଆସନ ଆମେଥି, ରାଏବରେଲିକୁ ନେଇ ହଟିଲା ସସ୍ପେନ୍ସ। ନାମାଙ୍କନରେ ଶେଷ ଦିନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏଥିର ଆମେଥି ନୁହେଁ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି। ସେହିପରି ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।
ଆମେଥି କଂଗ୍ରେସର ଗଡ ଥିଲା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ଏଠାରୁ ରାହୁଲଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିଜୟୀ ହୋଇଥିଲେ । ରାହୁଳ କେରଳର ୱାୟନାଡ ଆସନରୁ ଜିତିବାରେ ସକ୍ଷମ ହୋଇଥିଲେ । ତେବେ ୨୦୧୯ରେ କଂଗ୍ରେସ ଉତ୍ତରପ୍ରଦେଶରୁ ଯେଉଁ ଗୋଟିଏ ଆସନରେ ବିଜୟୀ ହୋଇଥିଲା ତାହା ଥିଲା ରାୟବରେଲି । ଏଠାରୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜୟୀ ହୋଇଥିଲେ । ହେଲେ ଚଳିତଥର ସେ ଲୋକସଭା ନିର୍ବାଚନ ଲଢ଼ୁନାହାନ୍ତି । ବରଂ ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।
ବିଜେପି ପୂର୍ବରୁ ଆମେଥି ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିଲା ବେଳେ ରାଏବରେଲି ପାଇଁ ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି । ଦୀନେଶ ବର୍ତ୍ତମାନ ଯୋଗୀ ସରକାରରେ ମନ୍ତ୍ରୀ ଅଛନ୍ତି ।