ପ୍ରଥମ ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍‌ର ମଞ୍ଜୁରୀ, ମଙ୍ଗଳବାର ବିଧାନସଭାରେ ହେବ ଆଗତ

ଉତ୍ତରାଖଣ୍ଡ ରାଜ୍ୟରେ ପ୍ରଥମେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି

ପ୍ରଥମ ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍‌ର ମଞ୍ଜୁରୀ, ମଙ୍ଗଳବାର ବିଧାନସଭାରେ ହେବ ଆଗତ

ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ୟୁସିସି ଡ୍ରାଫ୍ଟ ଅନୁମୋଦନ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବା ପରେ ସମାନ ନାଗରିକ ସଂହିତା ବର୍ତ୍ତମାନ ବିଧାନସଭାରେ ଉପସ୍ଥାପନ କରାଯିବ। ବିଧାନସଭାରେ ସମାନ ନାଗରିକ ସଂହିତା ବିଧେୟକ ପାସ୍ ହୋଇସାରିବା ପରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହି ଆଇନ କାର୍ଯ୍ୟକାରୀ ହେବ। କ୍ୟାବିନେଟ ବୈଠକ ପରେ କୁହାଯାଇଥିଲା ଯେ ୟୁସିସି ଡ୍ରାଫ୍ଟ ବିଧାନସଭାରେ ଉପସ୍ଥାପିତ ହେବ ଏବଂ ଯାହାକୁ ଯଥାଶୀଗ୍ର ଆଇନର ରୂପ ଦିଆଯିବ। ୟୁସିସି ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିବ ଏବଂ ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକ ପରେ କ୍ୟାବିନେଟ୍ ବିଶେଷଜ୍ଞଙ୍କ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ମଙ୍ଗଳବାର ବିଧେୟକକୁ ବିଧାନସଭାରେ ଉପସ୍ଥାପନ କରାଯିବ। ଏହା ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇପାରେ ଯେଉଁଠି ୟୁସିସି ଲାଗୁ ହେବ।

ଏମିତି ରହିଛି ପ୍ରକ୍ରିୟା
ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ବିଧେୟକ ବିଧାନସଭାରେ ଗୃହୀତ ହେଲେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଏହା କେନ୍ଦ୍ରର ବିଷୟ ହୋଇଥିବାରୁ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ଏହାକୁ ରାଷ୍ଟ୍ରପତି ଭବନ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇପାରେ। ଗୃହ ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିବା ପରେ ରାଜ୍ୟପାଳ ଏହାକୁ ଆଇନର ରୂପ ଦେବେ। ଏହାପରେ ଉତ୍ତରାଖଣ୍ଡରେ ବିଧେୟକ ଲାଗୁ ହେବ। ଏହିପରି ଭାବେ ଫେବୃଆରୀ ଶେଷ ସୁଦ୍ଧା ଏହା ଆଇନରେ ପରିଣତ ହେବ।

ୟୁସିସିର ପ୍ରମୁଖ ସୁପାରିଶ
୧ - ବିବାହ ପାଇଁ ଝିଅଙ୍କ ବୟସ ୧୮ ବର୍ଷ ଓ ପୁଅ ବୟସ ୨୧ ବର୍ଷ ରହିବ।

୨- ବିବାହର ପଞ୍ଜୀକରଣ ବାଧ୍ୟତାମୂଳକ।

୩ - ପତି-ପତ୍ନୀ ଉଭୟଙ୍କ ତଲାକର ସମାନ କାରଣ ଓ ଆଧାର ଦେବା ଜରୁରୀ। ତଲାକର ଆଧାର ସ୍ଵାମୀ ଓ ସ୍ତ୍ରୀ ପାଇଁ ସମାନ ରହିବ।

୪ - ପତ୍ନୀ ଜୀବିତ ଥାଉ ଥାଉ ଦ୍ଵିତୀୟ ବିବାହ ହୋଇ ପାରିବ ନାହିଁ। ଅର୍ଥାତ ବହୁ ବିବାହ ଉପରେ ରୋକ୍ ଲାଗିବ।

୫ - ଉତ୍ତରାଧିକାରରେ ପିଲାଙ୍କ ପରି ଝିଅର ମଧ୍ୟ ସମାନ ଅଧିକାର ରହିବ।

୬ - ଲିଭ୍ ଇନ ରିଲେସନସିପରେ ରହିଲେ ଘୋଷଣାନାମା ଦରକାର। ଏହା ସେଲ୍ଫ ଡିକ୍ଲେରେସନ ପରି ରହିବ।

୭ - ଅନୁସୂଚିତ ଜନଜାତିର ଲୋକେ ୟୁସିସିର ପରିଧିରୁ ବାହାରେ ରହିବେ।