କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ଥାନୀୟ ପ୍ରଶାସନ,ଉଦ୍ଧାରକାରୀ ବାହିନୀ ଓ ରେଳ ବିଭାଗ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଏହି ହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି
ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସ୍ଥଳରେ ଥାଇ କ୍ୟାବିନେଟ୍ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଆବଶ୍ୟକ ସବୁ ପ୍ରକାର ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରବର୍ଗ ଯେପରି କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ନିରନ୍ତର ଭାବେ ଯୋଗାଇ ଦେବା ଉପରେ ଶ୍ରୀ ମୋଦୀ ଜୋର୍ ଦେଇଛନ୍ତି।
ବାଲେଶ୍ବର: ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସମୋନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାନଗାରେ ଦୁର୍ଘଟଣାସ୍ଥଳ ଏବଂ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯୁବବର୍ଗ ରାତିସାରା କାମ କରିଥିଲେ। ଏଠାକାର ନାଗରିକ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି। ସାଧାରଣ ଜନତା ଡାକ୍ତରଖାନାକୁ ଯାଇ ଆହତମାନଙ୍କ ପାଇଁ ରକ୍ତଦାନ କରିଛନ୍ତି। ରେଳବାଇ ନିଜର ପୂରା ଶକ୍ତି ଲଗାଇଛି। ଯାତାୟତ କାମ ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନେଇଛି। ପୂରା ଘଟଣାସ୍ଥଳ ବୁଲିଛି। ହସ୍ପିଟାଲରେ ଆାହତଙ୍କୁ ଭେଟିଛି। ଘଟଣା ସଂପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ। ପରମାତ୍ମା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ। ଆମେ ସମସ୍ତେ ପ୍ରାଥର୍ନା କରିବା, ଦୁର୍ଘଟଣାଗ୍ରସ୍ତ ଲୋକେ ଶୀଘ୍ର ସୁସ୍ଥ ହୁଅନ୍ତୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବାହାନଗାରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଆମକୁ ବଡ଼ ଶିକ୍ଷା ଦେଇଛି। ନାଗରିକ ଜୀବନକୁ କେମିତି ସୁରକ୍ଷା ଦେଇପାରିବ, ସେଦିଗରେ ଆମକୁ କାମ କରିବାକୁ ହେବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶନିବାର ଅପରାହ୍ଣ ୩ଟା ୪୦ରୁ ୫ଟା ୪୦ ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବାହାନଗାରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଥିଲେ। ଅଧିକାଂଶ ଚିକିତ୍ସାଧୀନ ଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସେମାନେ କେଉଁଠାରୁ ଆସୁଥିଲେ, କୁଆଡେ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପ୍ରଶ୍ନ ପଚାରିଥିଲେ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାସ୍ଥଳ ‘ବାହାନଗା’ରେ ଟ୍ରାକ୍ ଓ ବଗି ନିକଟକୁ ଯାଇଥିଲେ। ସେଠାରେ ସ୍ଥିତି ପରଖିଥିଲେ। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଥିଲେ। ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଦୁଃଖଦ ଘଟଣାରେ ସମସ୍ତ ପ୍ରକାର ସହାୟତା ଲାଗି ସରକାର ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଆହତ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।