ଭାଇଜାଗ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇ ସିରିଜକୁ ଫେରିଲା

ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି

ଭାଇଜାଗ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇ ସିରିଜକୁ ଫେରିଲା

ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ରବିଚନ୍ଦ୍ରନ ଅଶ୍ବିନ ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂ‌ ସହାୟତାରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ହରାଇ ଦେଇଛି । ୩୯୯ ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ସୋମବାର ଚତୁର୍ଥ ଦିବସର ଦ୍ବିତୀୟ ସେସନରେ ୨୯୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନ୍ ଓ ବୁମରା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାଚରେ ମୋଟ ୯ ଓ୍ବିକେଟ୍ ନେଇଥିବା ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ଚମତ୍କାର ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି। ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ୨୮ ରନରେ ଜିତିଥିଲା। ସିରିଜର ତୃତୀୟ ଟେଷ୍ଟ ଫେବୃୟାରୀ ୧୫ରୁ ରାଜକୋଟରେ ଖେଳାଯିବ ।

ଚତୁର୍ଥ ଦିନର ଖେଳ ଆରମ୍ଭ ବେଳକୁ ଭାରତକୁ ବିଜୟ ପାଇଁ ୯ ଓ୍ବିକେଟ୍ ଓ ଇଂଲଣ୍ଡକୁ ୩୩୨ ରନ୍ ଆବଶ୍ୟକ ହେଉଥିଲା। ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୬୭/୧ରୁ ଖେଳ ଆରମ୍ଭ କରିଥିଲା । ନିଜ ‘ବାଜବଲ୍’ ରଣନୀତି ଅନୁସାରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲା ଇଂଲଣ୍ଡ। ହେଲେ ଏପରି କରିବାକୁ ଯାଇ ଭ୍ରମଣକାରୀ ଦଳ ପ୍ରଥମ ସେସନରେ ହିଁ ୫ ଓ୍ବିକେଟ୍ ହରାଇଥିଲା ‌। ଦଳ ଲଞ୍ଚ ବିରତି ସୁଦ୍ଧା ୧୯୪ ରନରେ ୬ ଓ୍ବିକେଟ୍ ହରାଇ ପରାଜୟ ଦ୍ଵାରରେ ପହଞ୍ଚି ଯାଇଥିଲା । ଦ୍ବିତୀୟ ସେସନରେ ଅଧିନାୟକ ବେନ୍ ଷ୍ଟୋକ୍ସ ରନ୍ ଆଉଟ୍ ହୋଇଯିବା ପରେ ଇଂଲଣ୍ଡର ଶେଷ ଆଶା ମଉଳି ଯାଇଥିଲା ।

ଦ୍ବିତୀୟ ଇନିଂସରେ ଇଂଲଣ୍ଡ ତରଫରୁ ଜ୍ୟାକ୍ କ୍ରଲି ସର୍ବାଧିକ ୭୩ ରନ୍ କରିଥିବା ବେଳେ ବେନ୍ ଫୋକ୍ସ ଓ ଟମ୍ ହାର୍ଟଲି ୩୬-୩୬ ରନ୍ କରିଥିଲେ ‌।

ଭାରତର ଏହି ବିଜୟରେ ବୁମରାଙ୍କ ସହ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଓ ଶୁଭମାନ ଗିଲଙ୍କ ମଧ୍ୟ ପ୍ରମୁଖ ଅବଦାନ ରହି‌ଥିଲା । ଜୈସୱାଲ ପ୍ରଥମ ଇନିଂସରେ ଚମତ୍କାର ୨୦୯ ରନ୍ କରିଥିଲେ ‌। ଗିଲ୍ ଫର୍ମକୁ ଫେରି ଦ୍ବିତୀୟ ଇନିଂସରେ ୧୦୪ ରନର‌ ପାଳି ଖେଳିଥିଲେ ।