ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍‌, ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆଦିଲ୍ଲୀ ବାସଭବନ ଉପରେ ଉଡିଲା ଡ୍ରୋନ । ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ୱେ କିଭଳି ନୋ ଫ୍ଲାଇଂ ଜୋନକୁ ଆସିଲା ଡ୍ରୋନ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍‌, ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ସନ୍ଦିଗ୍ଧ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଖବର ମିଳିବା ପରେ ଦିଲ୍ଲୀରେ ହଇଚଇ ସୃଷ୍ଟି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତୁରନ୍ତ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଓ ଡ୍ରୋନକୁ ସନ୍ଧାନ କରିବାରେ ଲାଗି ପଡିଛନ୍ତି ।

ଖବର ମୁତାବକ, ଆଜି ଭୋର ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡ଼ୁଥିବା ଘଟଣା ସମ୍ପର୍କରେ SPG ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା। ଏହାପରେ ଦିଲ୍ଲୀର ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ପିଏମ୍ ଆବାସ ଓ ଆଖାପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ କିପରି ଏକ ଡ୍ରୋନ ଉଡ଼ିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ୪ ଘଣ୍ଟା ପରେ ବି ଡ୍ରୋନ ସମ୍ପର୍କରେ କିଛି ସୂଚନା ମିଳିପାରିନି।

ସକାଳ ପ୍ରାୟ ୫ଟା ସମୟରେ ଏସପିଜି (ସ୍ପେସିଆଲ୍ ପ୍ରୋଟେକ୍ସନ ଗ୍ରୁପ୍) ନୂଆଦିଲ୍ଲୀ ପୋଲିସକୁ ଏ ସମ୍ବନ୍ଧରେ ସୂଚନା ଦେବା ପରେ ନୂଆଦିଲ୍ଲୀ କ୍ଷେତ୍ରର ପୋଲିସ ଅଫିସର ଓ ସୁରକ୍ଷା ବଳ ଡ୍ରୋନ୍ ର ସନ୍ଧାନରେ ଲାଗି ପଡିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସ ଦିଲ୍ଲୀର ଲୁଟିୟନ୍ସ ଜୋନର ଲୋକ କଲ୍ୟାଣ ମାର୍ଗ ସ୍ଥିତ ୭ ନମ୍ବର ବଙ୍ଗଳାରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି ୨୦୧୪ରୁ ଏଠାରେ ରହି ଆସୁଛନ୍ତି । ଏଠିକାର ସଂପୂର୍ଣ୍ଣ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ ମଧ୍ୟରେ ଆସିଥାଏ । ତେବେ ଏ ପର୍ଯ୍ୟନ୍ତ କୌଣସି ଡ୍ରୋନକୁ ଠାବ କରାଯାଇପାରି ନାହିଁ । ତେବେ ଏହି ଡ୍ରୋନ୍ କାହାର ଓ କିପରି ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଆସିଲା ସେ ସଂପର୍କରେ ପୋଲିସ ଯାଞ୍ଚ କରୁଛି ।