ନୀତି ଆୟୋଗ ବୈଠକ ମଝିରୁ ଉଠିଗଲେ ମମତା

ଶନିବାର ଠାରୁ ଦିଲ୍ଲୀ ଠାରେ ଆରମ୍ଭ ହୋଇଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ

ନୀତି ଆୟୋଗ ବୈଠକ ମଝିରୁ ଉଠିଗଲେ ମମତା

ଶନିବାର ଠାରୁ ଦିଲ୍ଲୀ ଠାରେ ଆରମ୍ଭ ହୋଇଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମିଲ ହୋଇଥିବା ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ଆଚରଣ ଏବେ ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁସାରେ ବୈଠକ ଅଧାରୁ ସେ ନିଜ ଆସନ ଛାଡି ଉଠି ଚାଲିଯାଇଛନ୍ତି ।

ବୈଠକରେ ନିଜ ଦାବି ରଖୁଥିବା ବେଳେ ତାଙ୍କ ମାଇକ୍‌କୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣି ସେ ବୈଠକ ତ୍ୟାଗ କରିଥିବା ଏବଂ ଅଧାରୁ ଉଠି ଚାଲିଆସିଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ଶନିବାର କୋଲକାତା ଠାରେ ପହଞ୍ôଚବା ପରେ ମମତା କହିଛନ୍ତି, କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ଅଣବିଜେପି ଶାସିତ ରାଜ୍ୟଙ୍କ ସହ ପକ୍ଷପାତ କରୁଛନ୍ତି । ବିଜେପି ଶାସିତ ରାଜ୍ୟକୁ ଅନୁଦାନର ବର୍ଷା କରାଯାଉଥିବା ବେଳେ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକୁ ଉପେକ୍ଷା କରାଯାଉଛି ।
ପ୍ରକାଶ ନୀତି ଆୟୋଗ ବୈଠକକୁ ବହୁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିଥିବା ବେଳେ ମମତା ବାନାର୍ଜୀ କିନ୍ତୁ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଏହି ବୈଠକରେ ଯୋଗ ଦେଇଥିଲେ । ତେବେ ବୈଠକରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରି ବର୍ଷିଛନ୍ତି ମମତା । ମମତାଙ୍କ କହିବାନୁସାରେ ସେ ନିଜ ରାଜ୍ୟର ସମସ୍ୟା ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଭାବେ କହିବାକୁ ଅନୁରୋଧ କରିଥିଲେ । ତାଙ୍କ ପୂର୍ବରୁ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଯେଉଁଠି ସେମାନଙ୍କ ସମସ୍ୟା ଉପସ୍ଥାପିତ କରିବା ପାଇଁ ୧୫-୨୦ ମିନିଟ୍ ସମୟ ଦିଆଯାଇଥିଲା ସେତେବେଳେ ତାଙ୍କୁ ମାତ୍ର ୫ ମିନଟ୍ ସମୟ ଦିଆଯାଇଥିଲା । ତେବେ ସେ ନିଜ ରାଜ୍ୟ ପଶ୍ଚିମବଙ୍ଗକୁ କେନ୍ଦ୍ର ଅନୁଦାନ ମିଳୁନଥିବା ପ୍ରସଙ୍ଗ ଉଠାଇବାରୁ ତାଙ୍କ ମାଇକ୍ ବନ୍ଦ କରିଦିଆଯାଇଥିଲା । ତାଙ୍କୁ ଜାଣିଶୁଣି ଏପରି ଅପମାନିତ କରାଯାଇଥିବା ହୃଦ୍‌ବୋଧ ହେବା ପରେ ସେ ଅବିଳମ୍ବେ ବୈଠକରୁ ଉଠି ଆସିଥିଲେ ବୋଲି ମମତା ଅଭିଯୋଗ କରିଛନ୍ତି । ମମତାଙ୍କ କହିବାନୁସାରେ ଏହା କେବଳ ତାଙ୍କ ପାଇଁ ନୁହେଁ, ସମସ୍ତ ଆଞ୍ଚଳିକ ରାଜନୈତିକ ଦଳ ପ୍ରତି ଅପମାନ । କାରଣ ବହୁ ଅଣବିଜେପି ମୁଖ୍ୟମନ୍ତ୍ରୀ ବୈଠକକୁ ବର୍ଜନ କରିଥିବା ବେଳେ ସେ ଏଥିରେ ସାମିଲ ହୋଇଥିଲି । ସେ ସମସ୍ତ ଅଣବିଜେପି ଶାସିତ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଏହି ବୈଠକରେ ଯୋଗଦେଇଥିଲେ । ଏଥିରେ କେନ୍ଦ୍ର ସରକାର ଖୁସି ହେବା ପରିବର୍ତ୍ତେ ନିଜ ପାର୍ଟି, ନିଜ ସରକାର ଓ ନିଜ ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିଛନ୍ତି ।
ମମତାଙ୍କ ଏପ୍ରକାର ଅଭିଯୋଗ ଉପରେ ସରକାରଙ୍କ ତରଫରୁ ପକ୍ଷ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୀତାରମଣ କହିଛନ୍ତି, ମମତା ବାନାର୍ଜୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ବୈଠକରେ ତାଙ୍କୁ କହିବାକୁ ସମ୍ପୂର୍ଣ୍ଣ ସୁଯୋଗ ଦିଆଯାଇଥିଲା । ସେହିପରି ତାଙ୍କ ମାଇକ୍ ଅଫ୍ କରାଯାଇଥିବା ନେଇ ମଧ୍ୟ ସେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବେଲ୍ ବାଜିନଥାଏ । କିନ୍ତୁ ବେଲ୍ ବାଜିବା ପୂର୍ବରୁ ହିଁ ମମତା ନିଜ ଆସନ ଛାଡି ଚାଲିଆସିଥିଲେ । ନୀତି ଆୟୋଗ ସିଇଓ ବିବିଆର ସୁବ୍ରମଣ୍ୟମ ମଧ୍ୟ ସମାନ କଥା କହି ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।