ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୯ ତାରିଖରେ ନିଜ ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ମନ୍ତ୍ରୀମାନଙ୍କ ବିଭାଗର ସମୀକ୍ଷା ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ ଏବଂ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ହୋଇଛି | ମନ୍ତ୍ରୀମାନେ କ’ଣ ସବୁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ତାହାର ହିସାବ ନେଇଛନ୍ତି | ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ଏହାପରେ ସାମ୍ବାଦିକ ସମ୍ବିଳନୀ କରି ତଥ୍ୟ ରଖିଛନ୍ତି । ସମୀକ୍ଷାର ପ୍ରଥମ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ନିଜ ବିଭାଗର ରିପୋର୍ଟ ଦେଇଛନ୍ତି | ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦୁଇ ବିଭାଗର କାମକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି |

ସେ କହିଛନ୍ତି ଯେ, ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପୂରଣ କରାଯାଇଛି | ସାଧାରଣ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ବାସ୍ତବତାର ରୂପ ନେଇଛି ନା ନାହିଁ ତାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଆମ ଉପରେ ଖୁସି ଅଛନ୍ତି | ମୁଖ୍ୟତଃ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଥିଲା। ସେ ଅନୁଯାୟୀ ଚଳିତବର୍ଷ ୧୦ ଲକ୍ଷ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହାସହ ଭିଟାମିନଯୁକ୍ତ ଚାଉଳ ସମସ୍ତ ୩୦ଟି ଜିଲ୍ଲାରେ ଦିଆଯାଇଛି। ଚାଷୀଙ୍କୁ ଶୂନ ପ୍ରତିଶତ ସୁଧରେ ଋଣ ଦିଆଯାଇଥିବାବେଳେ ୩୨ଲକ୍ଷ ଲୋକ ଏବେ ଋଣ ନେଉଛନ୍ତି। ଚାଷୀଙ୍କ ସୁବିଧା ପାଇଁ ପାକ୍ସ୍ ଗୁଡ଼ିକୁ କମ୍ପ୍ୟୁଟରଜାଇଡ କରାଯାଇଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଡାକ୍ତର ବଳକା ସ୍ଥିତି ରହିଛି | ୨୦୦୦ ମସିହାରେ ପ୍ରତିବର୍ଷ ୩୨୧ ଏମବିବିଏସ ଡାକ୍ତର ଓ ୨୫୪ ଜଣ ବିଶେଷଜ୍ଞ ବାହାରୁଥିବାବେଳେ ଏବେ ପ୍ରତିବର୍ଷ ୨୨୦୦ ଏମବିବିଏସ ଡାକ୍ତର ଓ ୮୨୬ ସ୍ପେସିଆଲିଷ୍ଟ ବାହାରୁଛନ୍ତି | ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସବୁ ଡାକ୍ତର ପଦବୀ ପୂରଣ ହେଇଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।